ପ୍ରଳୟଙ୍କରୀ ରୂପ ନେଇପାରେ ଫୋନି
ପ୍ରଳୟଙ୍କରୀ ରୂପ ନେଇପାରେ ଫୋନି
admin
Apr 30, 2019 - 05:39
Updated: Apr 30, 2019 - 05:39
ଭୁବନେଶ୍ୱର : ଭୟଙ୍କର ରୂପ ନେଉଥିବା ଘୂର୍ଣ୍ଣି ଝଡ଼ ଫୋନି ଗୁରୁବାର ସୁଦ୍ଧା ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବାର ସମ୍ଭାବନା ଥିବାରୁ ଏବେ ଏହାକୁ ନେଇ ସମସ୍ତେ ପ୍ରସ୍ତୁତ। ସମ୍ଭାବ୍ୟ ପରିସ୍ଥିତିର ସାମ୍ନା କରିବାକୁ ନୌସେନା ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
୧୨ୟୁନିଟ ଏନଡିଆରଏଫ, ୨୦ ୟୁନିଟ ଓଡ୍ରାଫ ଏବଂ ୩୩୫ଟି ଫାୟାର ଷ୍ଟେସନ ୟୁନିଟ ସଜାଗ ରହିବେ । ସାଇକ୍ଲୋନ ଆଶ୍ରୟ ସ୍ଥଳଗୁଡିକୁ ପ୍ରସ୍ତୁତ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଆଜି ଠାରୁ ଧରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସମସ୍ତ ଜିଲ୍ଲାର ମୁଖ୍ୟ ମେଡିକାଲ ଅଫିସରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ ଚିଠି ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ଛୁଇଁବା ପରେ ଏହା ଓଡିଶାର ଗଜପତି ଜିଲ୍ଲାରେ ପହଂଚିବାର ସମ୍ଭାବନା ରହିଛି । ଏହା ପରେ ଫୋନି ଉତରପୂର୍ବ ଦିଗରେ ଗତି କରିବା ସହିତ ଓଡିଶାର ଉପକୂଳବର୍ତି ଜିଲ୍ଲା ସମେତ ମୟୂରଭଞ୍ଜ ଯାଏଁ ଯିବାର ସମ୍ଭାବନା ଅଛି ।
ଫୋନିର ପ୍ରଭାବରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏହି ସବୁ ଜିଲ୍ଲାମାନଙ୍କୁ ସତର୍କ କରାଇ ଦିଆଯାଇଛି । ବିଶେଷକରି ଔଷଧ ଠାରୁ ଆରମ୍ଭ କରି ସମସ୍ତ ଦରକାରୀ ଆସବାବ ସାମଗ୍ରୀ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ।