କିଡନୀ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

କିଡନୀ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

 କିଡନୀ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗତ ୪ ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସ୍ପିଟାଲ ଭୁବନେଶ୍ୱର ଡାକ୍ତରମାନଙ୍କୁ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣକୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତର ମାନଙ୍କର ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ସୂଚନାଯୋଗ୍ୟ ଯେ ମୃତ୍ୟୁ ପରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୁରଜ (ସମ୍ମାନ) ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ ଯେ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ଏକ ମହତ ଦାନ ଏବଂ ଏହା ଦ୍ୱାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକେପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । କଟକ ଏସସିବି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡଃ.ଚିତ୍ତରଞ୍ଜନ କର ଏବଂ ଆପୋଲ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡଃ.ସମୀରନ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଏବଂ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । କିଡନୀ ପ୍ରତ୍ୟାରୋପଣ ହୋଇଥିବା ଦୁଇ ଜଣ ଯାକ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । କଟକ ଏସସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗର ପ୍ରଫେସର ଡଃ.ଦତ୍ତେଶ୍ୱର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡଃ.ସବ୍ୟସାଚୀ ପଣ୍ଡା, ଡଃ.ସଞ୍ଜୟ ଚୌଧୁରୀ, ଡଃ.କଲ୍ୟାଣୀବାଳା ନାୟକ, ଡଃ.ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡ.ଏଲ.ଏନ ବେହେରା ଏବଂ ଆପୋଲ ହସ୍ପିଟାଲର ମିଃ ସୁଧୀର ଦିଗିକର, ଡଃ.ସମୀରୋନ୍ଦାସ ଅଧିକାରୀ, ଡଃ.ଶର୍ମିଲୀ ସିହ୍ନା, ଡଃ.ବିବେକାନନ୍ଦ ପଣ୍ଡା, ଡଃ.ଦେବବ୍ରତ ଦାଶ, ଡଃ.ସୁବ୍ରତ ସାହୁ, ଡଃ.ନିତିଶ ମହାନ୍ତି ଏବଂ ମିଃ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।