ପଞ୍ଚଭୂତରେ ଲୀନ ହେଲେ ମହାରଥୀ
ପଞ୍ଚଭୂତରେ ଲୀନ ହେଲେ ମହାରଥୀ
admin
Oct 4, 2020 - 09:19
Updated: Oct 4, 2020 - 09:19
ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ବିଜେଡିର ବରିଷ୍ଠନେତା ପ୍ରଦୀପ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପିପିଲି ଖୋରାପଦା ଘରୁ ତାଙ୍କ ପାର୍ଥôବ ଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଥିଲେ ।
ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ମହାରଥୀଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା।
ଅକସ୍ମାତ ମହାରଥୀଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିବାବେଳେ ରାଜନୀତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବିଶେଷକରି ପିପିଲି ନିର୍ବାଚନମଣ୍ଡଳୀ ସ୍ତବ୍ଧ ହୋଇଯାଇଛି । ପିପିଲିରୁ ୭ ଥର ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ଓରଫ ନାଟୁ ଭାଇ ସମସ୍ତଙ୍କର ଅତି ଆପଣାର ଥିଲେ । ହଜାର ହଜାର ଲୋକ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟଯେ, ୧୯୭୫ରେ ଛାତ୍ର ରାଜନୀତିରୁ ସେ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ । ପୁରୀ ସରକାରୀ ମର୍ଣ୍ଣିଂ କଲେଜର ସେକ୍ରେଟାରୀ ହୋଇଥିବା ମହାରଥୀ ଜରୁରୀକାଳୀନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିଲେ । ୧୯୭୭ରେ ସେ ପୁରୀ ଏସସିଏସ କଲେଜର ସଭାପତି ହୋଇଥିଲେ । ୧୯୮୫ରେ ଜନତା ଦଳ ଟିକେଟରୁ ସେ ପ୍ରଥମ ଥର ପାଇଁ ବିଧାନସଭା ଯାଇଥିଲେ । ପରେ ୧୯୯୦ରେ ବି ପୁନର୍ବାର ନିର୍ବାଚିତ ହୋଇଥିଲେ । ୧୯୯୫ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ୨୦୦୦ରୁ ପୁଣି ୫ ଥର ବିଧାନସଭାକୁ ନିର୍ବାଚିତ ହେବାର ସୌଭାଗ୍ୟ ପାଇଥିଲେ ।