ନୂଆ ଢାଞ୍ଚାରେ ନବମ ପରୀକ୍ଷା

ନୂଆ ଢାଞ୍ଚାରେ ନବମ ପରୀକ୍ଷା

ନୂଆ ଢାଞ୍ଚାରେ ନବମ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ (ବୋର୍ଡ) ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମେଟିଭ ଆସେସମେଣ୍ଟ-୧ (ଏସଏ-୧) ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା କରାଯିବ । ପ୍ରତ୍ୟେକ ବିଷୟ ପାଇଁ ମୋଟ ନମ୍ବର ୪୦ ମାର୍କ ରହିବ । ଏଥିରେ ୨୦ ନମ୍ବର ଅବଜେକ୍ଟିଭ ଓ ୨୦ ନମ୍ବର ସବଜେକ୍ଟିଭ ରହିବ । ସବଜେକ୍ଟିଭ ବିଭାଗରେ ୪ଟି ପ୍ରଶ୍ନ ପଡ଼ିବ ଏବଂ ପ୍ରତି ପ୍ରଶ୍ନର ବିକଳ୍ପ ପ୍ରଶ୍ନ ରହିବ । ଏହି ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଦେବେ । କିନ୍ତୁ ପ୍ରଶ୍ନପତ୍ର (ପ୍ରଶ୍ନ ଉତ୍ତର ବୁକଲେଟ) ବୋର୍ଡ ପକ୍ଷରୁ ଦିଆଯିବ । ଏହି ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ଦ୍ୱିତୀୟ ସିଟିଂ ଦିନ ୧୧ଟାରୁ ୧୨ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ନଭେମ୍ବର ୨୨ ତାରିଖ ସୋମବାର ଦିନ ପ୍ରଥମ ସିଟିଂରେ ଦ୍ୱିତୀୟ ଭାଷା (ହିନ୍ଦୀ, ଇଂରାଜୀ, ମୂକ ବଧିର ପିଲାଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା) ଓ ଦ୍ୱିତୀୟ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୨୩ ତାରିଖ ମଙ୍ଗଳବାର ଦିନ ପ୍ରଥମ ସିଟିଂରେ ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଧୁ, ତେଲୁଗୁ, ଅଲଟରନେଟିଭ ଇଂଲିଶ) ଓ ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ । ୨୪ ତାରିଖ ବୁଧବାର ଦିନ ପ୍ରଥମ ସିଟିଂରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ) ଓ ଦ୍ୱିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ । ଏହି ପରୀକ୍ଷା ଖାତା ମୂଲ୍ୟାୟନ ନୁ୍ୟଟ୍ରାଲ ସ୍କୁଲରେ ନଭେମ୍ବର ୨୩ରୁ ୩୦ ତାରିଖ ମଧ୍ୟରେ ହେବ ।