ନକଲି ସାର୍ଟିଫିକେଟ ପାଇଁ ଅଡୁଆରେ ଜିଲ୍ଲା ଶିକ୍ଷା ଅଧିକାରୀ

ନକଲି ସାର୍ଟିଫିକେଟ ପାଇଁ ଅଡୁଆରେ ଜିଲ୍ଲା ଶିକ୍ଷା ଅଧିକାରୀ

ନକଲି ସାର୍ଟିଫିକେଟ ପାଇଁ  ଅଡୁଆରେ ଜିଲ୍ଲା ଶିକ୍ଷା ଅଧିକାରୀ

ଭୁବନେଶ୍ୱର : ରସୁଲପୁର ବ୍ଲକର ଜୈନେକ ଶିକ୍ଷକଙ୍କର ବୈଧ ସାର୍ଟିଫିକେଟ ଥାଇ ମଧ୍ୟ ତାଙ୍କୁ "ନକଲି ସାର୍ଟିଫିକେଟ କାହିଁକି ପ୍ରଦାନ କରିଛ ବୋଲି ବିଭାଗୀୟ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିବା, ତାଙ୍କର ମାସିକ ଦରମାକୁ ତାଲିମପ୍ରାପ୍ତ ହାରରୁ ଅଣ ତାଲିମପ୍ରାପ୍ତ କରାଯିବା, ତଥା ତାଲିମପ୍ରାପ୍ତ ହାରରେ ସେ ନେଇଥିବା ଅଧିକ ଦରମା ଅର୍ଥ ଦାଖଲ କରିବା ନିର୍ଦ୍ଦେଶ ପ୍ରତିବାଦରେ ସଂପୃକ୍ତ ଶିକ୍ଷକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାନ୍ୟବର ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରସୁଲପୁର ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ତଥା ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ।


ସୂଚନା ଅନୁସାରେ ରସୁଲପୁର ବ୍ଲକର ପ୍ରାଥମିକ ଶିକ୍ଷକ ପ୍ରଶାନ୍ତ କୁମାର ସର ଗତ ୧୯୯୨ ମସିହାରୁ ଏହି ବ୍ଲକରେ ଶିକ୍ଷକତା କରି ଆସୁଛନ୍ତି । ଶିକ୍ଷକତା କରିବାର  ୮ ବର୍ଷ ପରେ ସେ ହିନ୍ଦୀ ସାହିତ୍ୟ ସମ୍ମେଳନ,  ଆଲ୍ଲାହବାଦରୁ ଶିକ୍ଷା ବିଶାରଦ ଡିଗ୍ରୀ ହାସଲ କରିଥିଲେ । ଏହି ଡିଗ୍ରୀର ପ୍ରମାଣ ପତ୍ର ତତ୍କାଳୀନ ରସୁଲପୁର ବିଡ଼ିଓଙ୍କୁ ପ୍ରଦାନ କରିବା ପରେ ବିଡ଼ିଓ ଏହାକୁ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟକୁ ପଠାଇଥିଲେ । ଏହାକୁ ଆଧାର କରି ବିଭାଗ ତାଙ୍କୁ୨୦୦୦ମସିହାରୁ ତାଲିମପ୍ରାପ୍ତ ହାରରେ ଦରମା ପ୍ରଦାନ କରିଥିଲେ ।  ତେବେ ଗତବର୍ଷ ଡିସେମ୍ବରରେ ରସୁଲପୁର ବିଇଓ ଶ୍ରୀଚରଣ ମଲ୍ଲିକ ଶିକ୍ଷକଙ୍କ ସମସ୍ତ ସାର୍ଟିଫିକେଟ ଯାଂଚ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହାର ବୈଧତାକୁ ଯାଂଚ କରିବା ପୂର୍ବରୁ ଶିକ୍ଷକଙ୍କୁ କାହିଁକି ନକଲି ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କାହିଁକି ନିଆନଯିବ ବୋଲି ୩ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତାଙ୍କର କୌଣସି ସାର୍ଟିଫିକେଟ ନକଲି ନୁହେଁ ବୋଲି ଶିକ୍ଷକ ଜଣକ ଉତ୍ତର ଦେଇଥିଲେ ମଧ୍ୟ ଜୁଲାଇ ମାସଠାରୁ ତାଙ୍କ ଦରମାକୁ ଅଣତାଲିମପ୍ରାପ୍ତ ହାରକୁ ଖସାଇ ଦିଆଯିବା ସହ ସେ ଅଧିକ ବେତନ ଫେରସ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଅନ୍ୟ ପକ୍ଷରେ ବିଇଓ ଗତ ଅଗଷ୍ଟ ମାସରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ରିପୋର୍ଟ ପ୍ରଦାନ କରି ଶିକ୍ଷକଙ୍କ ସାର୍ଟିଫିକେଟ ଅସଲି ବୋଲି ରିପୋର୍ଟ ଦେଇଥିଲେ । ଶିକ୍ଷା ବିଭାଗ ଅଧିକାରୀ ଶିକ୍ଷକଙ୍କ ସାର୍ଟିଫିକେଟକୁ କେତେବେଳେ ଅସଲି ତ କେତେବେଳେ ନକଲି କହୁଥିଲା ବେଳେ କେତେବେଳେ ସେ ତାଲିମପ୍ରାପ୍ତ ହାରରେ ଦରମା ପାଇବାକୁ ଯୋଗ୍ୟ ଏବଂ ଆଉ କେତେବେଳେ ଅଯୋଗ୍ୟ ବୋଲି ଦର୍ଶାଇଛନ୍ତି ।


ବିଭାଗୀୟ ଅଧିକାରୀଙ୍କ ଠାରୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ଶିକ୍ଷକ ଜଣକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶିକ୍ଷକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କୁନାଳ କୁମାର ସ୍ୱାଇଁ, କୌଶିକ ସ୍ୱାଇଁ ଏବଂ ଜ୍ୟୋତିରଞ୍ଜନ ଖୁଣ୍ଟିଆ ମାମଲା ପରିଚାଳନା କରୁଛନ୍ତି ।