ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ମିଳିବ
ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ମିଳିବ
ନୂଆଦିଲ୍ଲୀ: ବଡ଼ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା । ଆସନ୍ତା ଜାନୁଆରୀ ୧୦ ତାରିଖରୁ ଭାରତରେ ମିଳିବ ବୁଷ୍ଟର ଡୋଜ ଟିକା । ଓମାଇକ୍ରନକୁ ନେଇ କରୋନାର ତୃତୀୟ ଲହର ଆଶଙ୍କା ବଢ଼ିଥିବାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକାର ବୁଷ୍ଟର ଡୋଜ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ବୁଷ୍ଟର ଡୋଜ ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ବୁଷ୍ଟର ଡୋଜ ଟିକା ଦିଆଯିବ । ଯେଉଁ ବୟସ୍କମାନେ ବିଭିନ୍ନ ରୋଗରେ ପୀଡ଼ିତ, ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ବୁଷ୍ଟର ଅଗ୍ରାଧିକାରୀ ଭିତ୍ତିରେ ଦିଆଯିବ ।
ଏହାସହ ମୋଦି କହିଛନ୍ତି, ଭାରତରେ ପିଲାମାନଙ୍କୁ ଟିକା ଦିଆଯିବ । ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଆସନ୍ତା ଜାନୁଆରୀ ୩ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ସବୁ ରାଜ୍ୟ ପ୍ରସ୍ତୁତ ଆରମ୍ଭ କରିବାକୁ କୁହାଯାଇଛି ।
ଆଜି ରାତି ୯.୪୬ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ବିଶ୍ୱରେ ଆତଙ୍କ ଖେଳାଉଥିବା ଓମିକ୍ରନ୍ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ କହିଛନ୍ତି। ମାସ୍କ ବ୍ୟବହାର ସହ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କରିବାକୁ କହିଛନ୍ତି। ଓମିକ୍ରନ ଯେଉଁଭଳି ବିଶ୍ୱରେ ବ୍ୟାପିଛି, ତାହା ସଂକଟପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମିତ ବଢିବାରେ ଲାଗିଛି । ତେଣୁ ଏଭଳି ପରସ୍ଥିତିରେ ସତର୍କ ରହିବା ନିହାତି ଆବଶ୍ୟକ । ଭାରତ ସରକାର ଏନେଇ ଏକଦମ ପ୍ରସ୍ତୁତ ରହିଛନ୍ତି । ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ ମହଜୁଦ ରହିଛି । ୫ ଲକ୍ଷ ଅକ୍ସିଜେନ ସପୋର୍ଟେଡ଼ ପ୍ରସ୍ତୁତ ରହିଛି, ୧ ଲକ୍ଷ ୪୦ ହଜାର ଆଇସିୟୁ ବେଡ଼ ରହିଛି । ଆଇସିୟୁ ଏବଂ ଅଣଆଇସିୟୁ ବେଡକୁ ମିଶାଇ ପ୍ରାୟ ୯୦ ହଜାର ବେଡ଼ କେବଳ ଶିଶୁ ଓ ପିଲାଙ୍କ ପାଇଁ ରହିଛି ।
କରୋନା ମହାମାରୀର ବିପଦ ଏଯାଏ ଟଳିନି। ତେଣୁ କେହି ବି ଅବହେଳା କରିବା ଉଚିତ ନୁହେଁ। ଗୋଆ, ହିମାଚଳ ଓ ଉତ୍ତରାଖଣ୍ଡରେ ଶତ ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇ ସାରିଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଟିକାକରଣ ହାର ବଢ଼ୁଛି। ତେବେ ଟିକାକୁ ନେଇ ପ୍ରଚାର ହେଉଥିବା ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ। ଆମକୁ ଏହି ଗୁଜବ ବିରୋଧରେ ଏକାଠି ହେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।




admin 