ବିଜେଡିର 'ପଛୁଆ ବର୍ଗ ପଲିଟିକ୍ସ' କ’ଣ ଜାଣନ୍ତୁ...
ବିଜେଡିର 'ପଛୁଆ ବର୍ଗ ପଲିଟିକ୍ସ' କ’ଣ ଜାଣନ୍ତୁ...
ଭୁବନେଶ୍ୱର: ବିଜେଡି ଖେଳିଛି ପଛୁଆ ବର୍ଗ (ଓବିସି) ପଲିଟିକ୍ସ କାର୍ଡ । ବିଜେଡି ଘୋଷଣା କରିଛି, ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ୪୦% ପଛୁଆ ବର୍ଗଙ୍କୁ ଦଳ ପ୍ରାର୍ଥୀ କରିବ । ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହି ନିଷ୍ପତ୍ତି ହୋଇଛି । ଏତିକି ନୁହେଁ, ବିଜେଡି ଏ ପ୍ରସଙ୍ଗରେ ପରୋକ୍ଷରେ କେନ୍ଦ୍ରକୁ ବି ଟାର୍ଗେଟ କରି ଦେଇଛି ।
ବିଜେଡି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଛି, ସୁପ୍ରିମକୋର୍ଟଙ୍କ ରାୟ ପରେ ପଂଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ ବାଦ୍ ପଡ଼ିଛି । ଏହା ଏକ ଜାତୀୟ ପ୍ରସଙ୍ଗ । ତେଣୁ କେନ୍ଦ୍ର ସରକାର ଏ ନେଇ ଆଇନଗତ ବା ବୈଧାନିକ ପଦକ୍ଷେପ ଗ୍ରହଣ କରି ପଛୁଆବର୍ଗଙ୍କୁ ନ୍ୟାୟ ଦିଅନ୍ତୁ । ପଛୁଆବର୍ଗଙ୍କ ହକ୍ ପାଇଁ କେନ୍ଦ୍ର ପଦକ୍ଷେପ ନେଲେ ରାଜ୍ୟ ସରକାର ଓ ବିଜେଡି ଏହାକୁ ସମର୍ଥନ କରିବ ବୋଲି କହିଛି । ଏଭଳି କହି ଦଳ ପଛୁଆବର୍ଗଙ୍କ ମନ ଜିଣିବାକୁ ପ୍ରୟାସ କରିବା ସହ କେନ୍ଦ୍ର ଆଡ଼କୁ ବଲ୍ ଫିଙ୍ଗି ଦେଇଛି ବିଜେଡି । ଏବେ ଅପେକ୍ଷା ବିଜେପି ଏ ନେଇ କି ପ୍ରତିକ୍ରିୟା ରଖୁଛି ।
ଅଦାଲତି ମାମଲା ପରେ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କ ସଂରକ୍ଷଣ କାଟ୍ ଖାଇଛି । ତେଣୁ ଆଉ ପଛୁଆବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ରହିବ ନାହିଁ । ଏମିତିରେ ସବୁ ଦଳ ଏବେ ପଛୁଆବର୍ଗଙ୍କ ମନ ଜିଣିବାକୁ ରାଜନୀତି ଆରମ୍ଭ କରିଦେଇଛନ୍ତି । ପଛୁଆବର୍ଗଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟ୍ୱିଟ୍ ୱାର ରାଜନୀତିକୁ ବେଶି ତେଜିଛି । ଏବେ ଆଉ ପାଦେ ଆଗକୁ ଯାଇ ବିଜେଡି ଖେଳିଛି ମାଷ୍ଟରଷ୍ଟ୍ରୋକ । ରାଜ୍ୟ କାର୍ଯ୍ୟକାରିଣୀରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ବୈଠକରେ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୪୦% ପ୍ରାର୍ଥୀ କରିବା ନେଇ ପ୍ରସ୍ତାବ ଆଗତ କରିଥିଲେ । ସବୁ ଏହାକୁ ସମର୍ଥନ କରିଥିଲେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ଏହାକୁ ପଠାଯାଇଥିଲା । ନବୀନ ମଧ୍ୟ ସବୁଜ ସଙ୍କେତ ଦେଖାଇଛନ୍ତି ।
ଏବେ ଅପେକ୍ଷା ବିଜେପି ଓ କଂଗ୍ରେସ ପଛୁଆବର୍ଗଙ୍କୁ ନେଇ କି ଘୋଷଣା କରିବେ ।




admin 