ଆଜି ନବୀନ କି ମନ୍ତ୍ର ଦେବେ

ଆଜି ନବୀନ କି ମନ୍ତ୍ର ଦେବେ

ଆଜି ନବୀନ କି ମନ୍ତ୍ର ଦେବେ

  ଭୁବନେଶ୍ୱର: ଡିସେମ୍ବର ୨୬ (ରବିବାର) ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ । ଏଥର ପ୍ରତିଷ୍ଠା ଦିବସ ସ୍ୱତନ୍ତ୍ର । କାରଣ ଏହା ସିଲଭର ଜୁବୁଲି ବର୍ଷ । ଖାଲି ସେତିକି ନୁହେଁ, ପଂଚାୟତ ନିର୍ବାଚନକୁ ଆଉ ବେଶି ଦିନ ନାହିଁ । ସମ୍ଭବତଃ ଫେବ୍ରୁଆରୀରେ ହିଁ ହେବ ପଂଚାୟତ ଭୋଟ । ତା’ ପଛକୁ ଆସୁଛି ପୌର ନିର୍ବାଚନ । ତେଣୁ ଏଥର ପ୍ରତିଷ୍ଠା ଦିବସ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କର୍ମକର୍ତ୍ତା, ନେତା ସବୁ ଅପେକ୍ଷା କରି ରହିଛନ୍ତି, ନବୀନ କି ଏହି ଅବସରରେ ମନ୍ତ୍ର ଦେବେ ।  

  ରବିବାର ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ରାଜ୍ୟରୁ ବ୍ଲକ ଓ ସହରାଂଚଳ ସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସକାଳେ ରାଜ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହ ହେବ । ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରୁ ହିଁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି ଭର୍ଚୁଆଲ ମୋଡରେ । ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ, ଜିଲ୍ଲା ସଭାପତି, ବ୍ଳକ ସଭାପତିମାନେ ସଭା ଆୟୋଜନ କରି କର୍ମକର୍ତ୍ତାଙ୍କୁ ଏକାଠି କରି ସଭା କରିବେ । ସେଠାରେ ରହି ସମସ୍ତେ ନବୀନଙ୍କ ଭାଷଣ ଶୁଣିବେ । 

  ନବୀନଙ୍କ ବକ୍ତବ୍ୟ ଉପରେ କେବଳ ଦଳୀୟ ନେତା କି କର୍ମୀ ନୁହନ୍ତି, ବିରୋଧୀ ବି ନଜର ରଖିଛନ୍ତି । ଢେର ଦିନ ହେବ ରାଜ୍ୟସ୍ତରୀୟ ଦଳୀୟ ସମାବେଶରେ ନବୀନ ଭାଷଣ ରଖିନାହାନ୍ତି । ଯେହେତୁ ଆଗକୁ ପଂଚାୟତ ନିର୍ବାଚନ, ତେଣୁ ନବୀନ କିଛି ବଡ଼ କଥା କହିପାରନ୍ତି । କର୍ମକତ୍ତାଙ୍କୁ ବିଜୟ ମନ୍ତ୍ର ଦେବା ସହ ବିରୋଧୀଙ୍କୁ ବି ଟାର୍ଗେଟ କରିପାରନ୍ତି । ବିଶେଷ କରି କେନ୍ଦ୍ରର ଅବହେଳା ଓ ଦରବୃଦ୍ଧିକୁ ପ୍ରସଙ୍ଗ ଉଠାଇ ଏହାକୁ ଘର ଘର ନେବାକୁ ଆହ୍ୱାନ ଦେବେ ବୋଲି ଅନୁମାନ କରାଯାଉଛି । କେନ୍ଦ୍ର ଅବହେଳା କଲେ ବି ବିଜେଡି ରାଜ୍ୟବାସୀଙ୍କ ହକ୍ ପାଇଁ ଲଢେ଼ଇ ଜାରି ରଖିବ କହି ରାଜ୍ୟବାସୀଙ୍କ ମନ ଛୁଇଁବାକୁ ପ୍ରୟାସ କରିପାରନ୍ତି ନବୀନ । ମାତ୍ର ସବୁବେଳେ ଆକଳନକୁ ଚକମା ଦେବାରେ ମାହିର ନବୀନ କ’ଣ କହିବେ, ସେ ନେଇ ସବୁ ଅପେକ୍ଷା କରିଛନ୍ତି । 

  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ରେ ବିଜେଡି ଜନ୍ମ ନେଲା । ସେବେଠାରୁ ନବୀନ ହିଁ ଧରିଛନ୍ତି ବିଜେଡିର ମଙ୍ଗ । ଆରମ୍ଭରୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କଥା ଉଠାଇ ବିଜେଡି ଭୋଟ ମାଗୁଥିଲା । ଏବେ ଆଉ ସେ ସ୍ଥିତି ନାହିଁ । ଏବେ ନବୀନଙ୍କ ନାଁରେ ହିଁ ଭୋଟ । ନବୀନ ହିଁ ଦଳର ଏକମାତ୍ର ଚେହେରା । ତାଙ୍କ ନେତୃତ୍ୱରେ ବିଜେଡି ୫ ପାଳି କ୍ଷମତାକୁ ଆସିଲାଣି ରାଜ୍ୟରେ । ଜାତୀୟ ସ୍ତରରେ ବି ନବୀନଙ୍କ ଦବ୍ଦବା ବଢ଼ିଛି । 

  ପଞ୍ଚମ ପାଳି ସରକାରରେ ନବୀନଙ୍କ ପାଇଁ ଚାଲେଞ୍ଜ ବଢ଼ିଛି । ଗୋଟିଏ ପଟେ କୋଭିଡ ସଙ୍କଟକୁ ସାମ୍ନା କରୁଥିବାବେଳେ ଅନ୍ୟପଟେ ବିରୋଧୀଙ୍କ ଶକ୍ତ ଆକ୍ରମଣକୁ ସାମ୍ନା କରିବାକୁ ପଡ଼ୁଛି । ମାହାଙ୍ଗା ଡବଲ ମର୍ଡରରୁ ନେଇ ମମିତା ହତ୍ୟାକାଣ୍ଡ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଏ ବର୍ଷ ନବୀନ ସରକାରଙ୍କୁ ପାଣି ପିଆଇ ଦେଲେଣି । ମନ୍ତ୍ରୀମାନଙ୍କୁ ବିରୋଧୀ ଗୋଡେ଼ଇ ଗୋଡେ଼ଇ ବିରୋଧ କରୁଛନ୍ତି । ବିରୋଧୀ ରାଜ୍ୟସ୍ତରୁ ଗାଁ ଗହଳି ପର୍ଯ୍ୟନ୍ତ ସରକାରୀ ଦଳ ନେତା ଓ ମନ୍ତ୍ରୀଙ୍କୁ ଲଗାତାର ବିରୋଧ କରୁଥିବାବେଳେ ବିରୋଧୀଙ୍କୁ କେମିତି ସାମ୍ନା କରିବେ  ସେ ନେଇ କର୍ମୀଙ୍କ ଭିତରେ ନବୀନ ପ୍ରତିଷ୍ଠା ଦିବସରେ ଜୋଶ ଭରିବେ ବୋଲି କର୍ମୀମାନେ ଆଶା ବାନ୍ଧିଛନ୍ତି ।