କୋଭିଡ କଟକଣା କଡ଼ାକଡ଼ି, ଏଣିକି ଅମାନିଆଙ୍କୁ ନିସ୍ତାର ନାହିଁ

କୋଭିଡ କଟକଣା କଡ଼ାକଡ଼ି, ଏଣିକି ଅମାନିଆଙ୍କୁ ନିସ୍ତାର ନାହିଁ

କୋଭିଡ କଟକଣା କଡ଼ାକଡ଼ି, ଏଣିକି ଅମାନିଆଙ୍କୁ ନିସ୍ତାର ନାହିଁ
ଭୁବନେଶ୍ୱର: ସାବଧାନ! ଏଣିକି କୋଭିଡ ଗାଇଡଲାଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଦୋକାନୀ ହୁଅନ୍ତୁ ବା ସାଧାରଣ ଲୋକ, ଯେଉଁଠି ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସିବେ, ସେହି ସ୍ଥାନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ପୁଲିସ ସେବା ଭବନରେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର କମିସନରେଟ ପୁଲିସ ଅଞ୍ଚଳରେ ଥିବା ୬ ଜୋନରେ ୨୪ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି । ସେଠାରେ ତୀକ୍ଷ୍ଣ ନଜର ରଖାଯିବ । ଏହାର ପରିଚାଳନା ପାଇଁ ୩ ଜଣ ଡିସିପି ୨୪ ଜଣ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୪ ସେକ୍ସନ ଫୋର୍ସକୁ ନେଇ ଗଠିତ ଏହି ଟିମ ଗୋଟିଏ ଦିନରେ ୭୨୪ ଜଣଙ୍କ ଠାରୁ ୭୮ ହଜାର ୨୨୨ ଟଙ୍କା ଆଦାୟ କରିଛି । ସେଥି ମଧ୍ୟରେ ୨୨୨ ଜଣ ଦୋକାନୀ ଓ ୫୦୨ ଜଣ ସାଧାରଣ ଲୋକ ଥିବାଜଣାଯାଇଛି । ଜୋନ ୧ ଓ ୨ ଦାୟିତ୍ୱରେ ଡିସିପି (ସିକୁ୍ୟରିଟି) ନିର୍ମଳ ଶତପଥୀ ରହିଥିବା ବେଳେ ଜୋନ-୪ ଓ ୫ ଦାୟିତ୍ୱରେ ନବନିଯୁକ୍ତ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ରହିଛନ୍ତି । ଜୋନ ୩ ଓ ୬ ଦାୟିତ୍ୱରେ ଡିସିପି (ଆର୍ମଡ) ବିଜୟ କୁମାର ସାହୁ ରହିଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଦଫା ଦଫାରେ ଏହି ଟିମ ଗୁଡ଼ିକ କାମ କରିବା ୧ ନମ୍ବର ହାଟ, ମାର୍କେଟ ବିଲ୍ଡିଂ, ସୁନ୍ଦରପଦା ହାଟ, ଭିଏସଏସ ନଗର ହାଟ, ପଳାଶୁଣି, ଇନ୍ଦ୍ରଧନୁ ମାର୍କେଟ, ପ୍ରିୟଦର୍ଶିନୀ ମାର୍କେଟ, ପଟିଆ ହାଟ ପ୍ରମୁଖ ଉପରେ ତୀକ୍ଷଣ ନଜର ରଖାଯିବ । ଏଠାରେ ମାସ୍କ, ସାମାଜିକ ଦୂରତା, ପାନ ଛେପ ଏଣେ ତେଣେ ଫିଙ୍ଗିବା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଅପରାହ୍ନରୁ ଏହି ଚଢ଼ଉ ଆରମ୍ଭ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ତେବେ ଏହି ସବୁ ଜାଗା ସହ ଅଧିକାରୀମାନେ ସନେ୍ଦହ କରୁଥିବା କିମ୍ବା ଖବର ପାଇ ମଧ୍ୟ ଅନ୍ୟ ଜାଗାମାନଙ୍କରେ ଚଢ଼ଉ କରିବାକୁ କୁହାଯାଇଛି ।