କେକେଙ୍କ ଆରମ୍ଭ, ଶେଷ ସେଇ ଗୀତରେ

କେକେଙ୍କ ଆରମ୍ଭ, ଶେଷ ସେଇ ଗୀତରେ

କେକେଙ୍କ ଆରମ୍ଭ, ଶେଷ ସେଇ ଗୀତରେ

କୋଲକାତା: କ୍ୟାରିୟର ଆରମ୍ଭରେ ଯେଉଁ ଗୀତ ଗାଇ ସଙ୍ଗୀତ ଦୁନିଆରେ ପରିଚୟ ସୃଷ୍ଟି କରିଥିଲେ, ସେଇ ଗୀତରେ ହିଁ ବିଦାୟ ନେଲେ । ହଁ, ବଲିଉଡର ବଲିଉଡର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ କେକେ ଯେଉଁ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ, ସେଇ ଗୀତ ଗାଇବା ପରେ ହିଁ ଶେଷ ନିଃଶ୍ୱାସ ନେଇଛନ୍ତି । ଗୀତଟି ହେଉଛି-ହମ ରହେ ୟା ନା ରହେ କଲ୍... କଲ୍ ୟାଦ୍ ଆଏଗେଁ ପଲ୍... । ଗତକାଲି କୋଲକାତାରେ ତାଙ୍କ ମୃତୁ୍ୟ ପୂର୍ବରୁ ଷ୍ଟେଜ ସୋ’ରେ ଏହି ଗୀତକୁ ଶେଷ ଥର ପାଇଁ ଗାଇଥିଲେ କେକେ । ତା’ପରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଅଣନିଃଶ୍ୱାସୀ ଅନୁଭବ କରି ଷ୍ଟେଜ ଛାଡ଼ିଥିଲେ । ପ୍ରଥମେ ହୋଟେଲକୁ ଯାଇଥିଲେ । ସେଠାରୁ ହସ୍ପିଟାଲ । ମାତ୍ର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । 

  କେକେ ବଲିଉଡରେ ଅନେକ ସୁନାମଧନ୍ୟ ଗୀତ ଗାଇ ନିଜର ସ୍ୱତନ୍ତ୍ର ପରିଚୟ ଛିଡ଼ା କରିଥିଲେ । ହେଲେ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ସୋଲୋ ଆଲବମ୍ ‘ପଲ୍’ରୁ । ଏହି ଆଲବମର ସୁପରହିଟ୍ ଗୀତ ଥିଲା ‘ହମ ରହେ ୟା ନା ରହେ କଲ୍... କଲ୍ ୟାଦ୍ ଆଏଗେଁ ପଲ୍... । ଯେବେ ବି କଲେଜ, ସ୍କୁଲରେ କୌଣସି ବ୍ୟାଚର ଫ୍ୟାରୱେଲ ହୁଏ, କେକେଙ୍କ ଏ ଗୀତ ନିଶ୍ଚିତ ଶୁଭେ । କଲେଜରୁ ସାଙ୍ଗସାଥୀଙ୍କଠାରୁ ବିଦାୟ ନେବାବେଳେ କେକେଙ୍କ ଏ ଗୀତ ଯେମିତି ଆଖିରେ ଲୁହ ଭରିଦିଏ । ଏ ଗୀତରେ କେକେ ଗାଇଛନ୍ତି ଯେ କାଲି ଆମେ ଥିବା କି ନଥିବା, କିନ୍ତୁ ଏ ମୂହୂର୍ତ୍ତ ନିଶ୍ଚିତ ମନେପଡ଼ିବ । ଆଉ ଏହି ବାର୍ତ୍ତା ଦେଇ ହିଁ ଆମ ସଭିଙ୍କଠାରୁ ବିଦାୟ ନେଇଛନ୍ତି ସଙ୍ଗୀତର ଏ ଯାଦୁଗର କେକେ । ସତରେ ଯେମିତି ସେ ଜାଣିଯାଇଥିଲେ, ସେ ଆମକୁ ଛାଡ଼ି ଚାଲିଯିବେ । ହେଲେ ସେ ଶରୀର ଛାଡ଼ିଦେଲେ ବି ଆମ ପାଖେ ସବୁବେଳେ ରହିବେ । କାହିଁକିନା ‘ ଏ ପଲ୍ ୟାଦ୍ ଆଏଗେଁ.... ।