ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଫି’!

ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଫି’!

ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଫି’!

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେବ ସ୍ୱତନ୍ତ୍ର ଦର୍ଶନ ଫି’ ବ୍ୟବସ୍ଥା ।  ଯେଉଁ ଭକ୍ତ ଚାହିଁବେ, ସେ ନିର୍ଦ୍ଧାରିତ ମୂଲ୍ୟ ପୈଠ କରି ସ୍ୱତନ୍ତ୍ର ଦର୍ଶନର ସୁଯୋଗ ପାଇବେ । ଏମିତିକି ଟଙ୍କା ପୈଠ କରି ସ୍ୱତନ୍ତ୍ର ପୂଜା, ସ୍ୱତନ୍ତ୍ର ସେବା ଓ ନୀତି ଓ ଉତ୍ସବର ସୁବିଧା ପାଇପାରିବେ । ନିର୍ଦ୍ଧାରିତ ଫି’ ଦେଲେ ଏମିତି ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ଏମିତି କିଛି ବ୍ୟବସ୍ଥା ରଖାଯାଇଛି ଶ୍ରୀଲିଙ୍ଗରାଜଙ୍କ ଅଧ୍ୟାଦେଶରେ । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ।     ଏମିତି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଓ ମନ୍ଦିର ପ୍ରଶାସନ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ଚୁକ୍ତିନାମା ଖିଲାପ ହେବ ବୋଲି କେନ୍ଦ୍ର ଆପତ୍ତି କରି ଦର୍ଶାଇଛି । ଚୁକ୍ତିନାମା ଅନୁଯାୟୀ ସମସ୍ତ ଭକ୍ତମାନେ ମାଗଣାରେ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା ପ୍ରଚଳିତ ଅଛି । ତେଣୁ ଅଧ୍ୟାଦେଶରେ ଏଭଳି ବ୍ୟବସ୍ଥା ନେଇ କେନ୍ଦ୍ର ଆପତ୍ତି ଉଠାଇଛି । ହେଲେ ରାଜ୍ୟ ସରକାର ଏହାର ଜବାବରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କୌଣସି ଚୁକ୍ତିନାମାର ଆମେ ଖିଲାପ କରୁନୁ । କିଛି ନିୟମ ଭଙ୍ଗ କରାଯାଉନି । ପୂର୍ବଭଳି ଭକ୍ତମାନେ ମାଗଣାରେ ଦର୍ଶନ କରିବାର ସୁଯୋଗ ପାଇବେ । ହେଲେ ଯେଉଁ ଭକ୍ତ ସ୍ୱତନ୍ତ୍ର ପୂଜା, ସେବା ଓ ନୀତି ଓ ଉତ୍ସବର ସୁବିଧା ଚାହିଁବେ, ସେମାନଙ୍କୁ ଧାର୍ଯ୍ୟ ଫି’ ପୈଠ କରିବାକୁ ହେବ । ଏହାଦ୍ୱାରା ମାଗଣାରେ ଲିଙ୍ଗରାଜଙ୍କ ଦର୍ଶନ ବ୍ୟବସ୍ଥା ଆଦୌ ପ୍ରଭାବିତ ହେବନି ବୋଲି ମୁଖ୍ୟ ସଚିବଙ୍କ ଚିଠିରେ ରାଜ୍ୟ ସରକାର ଯୁକ୍ତି ରଖିଛନ୍ତି ।

  ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପୂର୍ବରୁ ଆବେଦନ କରିଥିଲେ । କେନ୍ଦ୍ରର ବିଭିନ୍ନ ବିଭାଗ ଏନଓସି ଦେଇଥିବାବେଳେ ସଂସ୍କୃତି ମନ୍ତ୍ରଣାଳୟ ଅନେକ ପ୍ରଶ୍ନ ଉଠାଇଥିଲା । ଏହି ଅଧ୍ୟାଦେଶ ପରିସରଭୁକ୍ତ ହେଉଥିବା ମନ୍ଦିର ଓ ଜଳାଶୟ ସହ ଏଏସଆଇ ସଂରକ୍ଷିତ ୧୨ଟି ଐତିହ୍ୟ, କୀର୍ତ୍ତିରାଜି ପାଇଁ ଲାଗୁଥିବା ଆମସାର ଆକ୍ଟର ଖିଲାପ ହେବ ବୋଲି ମନ୍ତ୍ରଣାଳୟ କହିଥିଲା । ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ସଂରକ୍ଷିତ ଐତିହ୍ୟର ୧୦୦ ମିଟର ପରିଧିରେ କିଛି ନିର୍ମାଣ ହେବନି କିମ୍ବା ଏହାର ଆଉ ୨୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ଏନଏମଏ ଅନୁମତି ଲୋଡ଼ା ବୋଲି ମନ୍ତ୍ରଣାଳୟ ଦର୍ଶାଇଥିଲା । ଏହାର ଖିଲାପ କରାଯାଇନି ବୋଲି ରାଜ୍ୟ ସରକାର କହିଛନ୍ତି । 

  ରାଜ୍ୟ ସରକାର ଗୋଟିଏ କଥା କହିଛନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଏହି ଅଧ୍ୟାଦେଶ ଅଣାଯାଉଛି । ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।