କର୍ଣ୍ଣାଟକ ବିଧାନସଭା ନିର୍ବାଚନ : କର୍ଣ୍ଣାଟକରେ ଅମୁଲ ପ୍ରବେଶ କରିନି ବୋଲି କହିଲା ବିଜେପି
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଠିକ୍ ମାସେ ଥିବାବେଳେ ରାଜ୍ୟରେ ଏବେ ଆଉ ଏକ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ଗୁଜରାଟର ଅମୁଲ୍ ବ୍ରାଣ୍ଡ୍ କ୍ଷୀର ରାଜ୍ୟରେ ପ୍ରବେଶକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି ଯେ ବିଜେପି ସମର୍ଥନରେ କର୍ଣ୍ଣାଟକକୁ ଅମୁଲର ପ୍ରବେଶ କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (କେଏମଏଫ୍) ବ୍ରାଣ୍ଡ୍ ନନ୍ଦିନୀ ପାଇଁ ବିପଦ ହେବ । କଂଗ୍ରେସ ଏନେଇ ବିଜେପିକୁ ଆକ୍ରମଣ କରିବାପରେ ବିଜେପି ଏନେଇ ସ୍ପଷ୍ଟୀକରଣ ଦେଇଛି ।
କର୍ଣ୍ଣାଟକରେ ଅମୁଲ ପ୍ରବେଶ କରିନି ବୋଲି ବିଜେପି କହିଛି । ବିଜେପି ରାଜ୍ୟର ଗୌରବକୁ ନଷ୍ଟ କରିଦେଉଛି ବୋଲି କଂଗ୍ରେସ ଅଭିଯୋଗ କରୁଛି । କିନ୍ତୁ ବିଜେପି କହିଛି କଂଗ୍ରେସ ଭୁଲ୍ ଖବର ପ୍ରସାର କରୁଛି । ବିରୋଧୀ ଦଳ ଅପେକ୍ଷା ବିଜେପି କର୍ଣ୍ଣାଟକ ମିଲ୍କ ଫେଡେରେସନ (କେଏମ୍ଏଫ୍)କୁ ସୁଦୃଢ଼ କରିବା ପାଇଁ ବିଶେଷ କିଛି କରିଛି । କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି, ଅମୁଲ ପ୍ରଡକ୍ଟ ନକିଣିବା ପାଇଁ ସମସ୍ତ କନ୍ନଡ ପ୍ରତିଜ୍ଞା କରିବା ଉଚିତ । ସିଦ୍ଦରମେୟା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ଏକ ଟ୍ୱିଟ୍ କରିଛନ୍ତି । ସିଦ୍ଦରମେୟା କହିଛନ୍ତି, ରବିବାର ଦିନ କିଏ କର୍ଣ୍ଣାଟକ ଆସିଥିଲା । ରାଜ୍ୟକୁ ଲୁଟିବା କ’ଣ ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା ।
ସିଦ୍ଦରମେୟା କହିଛନ୍ତି, ଆମ ବନ୍ଦର, ବିମାନବନ୍ଦର ଗୁଜରାଟର ଆଦାନୀଙ୍କୁ ହସ୍ତାନ୍ତର କରାଗଲା । ଏବେ ଗୁଜରାଟର ଅମୁଲ ଆମ କେଏମଏଫ୍ (ନନ୍ଦିନୀ)କୁ ଖାଇଦେବାକୁ ବସିଛି । ନରେନ୍ଦ୍ର ମୋଦୀଜୀ ଆମେ କ’ଣ ଗୁଜରାଟର ଶତ୍ରୁ କି ବୋଲି ସିଦ୍ଦରମେୟା ପ୍ରଶ୍ନ କରିଛନ୍ତି । ତେବେ ସିଦ୍ଦରମେୟା ମୋଦୀଙ୍କୁ ସମାଲୋଚନା କରିବାପରେ ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବୀୟ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି, କର୍ଣ୍ଣାଟକରେ ଅମୁଲ ପ୍ରବେଶ କରିନି । ୨୦୧୯ରେ ବିଜେପି କ୍ଷମତାକୁ ଆସିବା ପରେ କେଏମଏଫର ଟର୍ନଓଭର ୧୦ ହଜାର କୋଟି ବଢ଼ିଛି । ୨୦୨୨ରେ କେଏମଏଫର ଟର୍ନଓଭର ୨୫ ହଜାର କୋଟି ଥିଲା । ଏଥିରୁ ୨୦ ହଜାର କୋଟି ଟଙ୍କା ସିଧାସଳଖ କୃଷକଙ୍କ ପାଖକୁ ଯାଇଛି ବୋଲି ଅମିତ କହିଛନ୍ତି । ବିବାଦ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଆଜି ହାସନ ସ୍ଥିତ ନନ୍ଦିନୀ ମିଲ୍କ ପାର୍ଲର ଗସ୍ତ କରିଛନ୍ତି । ଶିବକୁମାର କହିଛନ୍ତି, ଆମେ କର୍ଣ୍ଣାଟକ ମଡେଲ ଚାହୁ, ଗୁଜରାଟ ମଡେଲ ନୁହେଁ ।




admin 