ଆଜି ରୁକୁଣା ରଥଯାତ୍ରା :କେଉଁ ପଟେ ରାସ୍ତାବନ୍ଦ ?
ଭୁବନେଶ୍ୱର: ଆଜି ରୁକୁଣା ରଥଯାତ୍ରା । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣି । ରଥଯାତ୍ରା ପାଇଁ ପହଣ୍ଡି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ସାଢେ ଗୋଟାଏରେ ଶେଷ ହେବ । ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବ ।
ରୁକୁଣା ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି ରାଙ୍କର ଅଧିକାରୀ ଓ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ମାଉସୀ ମା’ ଛକରୁ ମ୍ୟୁଜିୟମ୍ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗରେ ଲୋକେ ଯାତାୟାତ କରିପାରିବେ । ରଥରୋଡ୍ରେ ବାରିକସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ବର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ହରଚଣ୍ଡୀ ଗଳି, ମୁନା ମେଡିକାଲ୍ ଗଳି, ପୁନାମା ଗେଟ୍ ଗଳି ପଟୁ ଏବଂ ରଥରୋଡ୍କୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ କୌଣସି ଗାଡ଼ି ଯାତାୟାତ କରିବ ନାହିଁ । ରଥଖଳାରୁ ରଥରୋଡ୍ ମଧ୍ୟରେ କୌଣସି ଗାଡ଼ିକୁ ଯିବାକୁ ଦିଆଯିବ ନାହିଁ । ବାଟ ମହାଦେବ ମନ୍ଦିର ପଟୁ ବିଏମ୍ସି ମାର୍କେଟ୍ କମ୍ପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାତାୟାତ କରିବେ ।
କେତେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ ସହ ଭିଡ଼ରେ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯିବ । ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଫୁଟେଜ୍ ଉପରେ ନଜର ରଖାଯିବା ସହ ସାଦା ପୋଷାକଧାରୀ ପୁଲିସ ମଧ୍ୟ ଭିଡ଼ ଭିତରେ ପଇଁତରା ମାରିବେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାମେଶ୍ୱର ଛକ, ଇଲେକ୍ଟ୍ରିକ୍ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍ କରିଦିଆଯିବ । ମାଉସୀ ମା’ ଛକରୁ ରଥ ରୋଡ୍ରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ।




admin 