‘ମୋ ଛତୁଆ’ ୱେବ୍ସାଇଟ୍, ଆପ୍ ଉନ୍ମୋଚିତ

‘ମୋ ଛତୁଆ’ ୱେବ୍ସାଇଟ୍, ଆପ୍ ଉନ୍ମୋଚିତ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ୱାରା ‘ମୋ ଛତୁଆ’ ୱେବସାଇଟ ଆପ୍ ଓ ସୂଚନା ପରିଚାଳନା ବ୍ୟବସ୍ଥା ଉନ୍ମୋଚିତ ହୋଇଛି । ପୋଖରୀପୁଟ ସ୍ଥିତ ମିସନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଘରକୁ ନେବା ଖାଦ୍ୟ ବା ଟେକ୍ ହୋମ୍ ରାସନ ସଂଶୋଧନ ନିୟମାବଳୀକୁ ମଧ୍ୟ ସେ ଉନ୍ମୋଚନ କରିଛନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆଣିବା ହେଉଛି ଏହାର ମୁଖ୍ୟ ଉଦେ୍ଧଶ୍ୟ । ଏହି ୱେବସାଇଟର ଲୋକର୍ପଣ କରି ଶ୍ରୀମତୀ ସାହୁ କହିଲେ, ଅପପୁଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ମହିଳା, ଗର୍ଭବତୀ, କିଶୋରୀ ଓ ଶିଶୁମାନଙ୍କ ଆବଶ୍ୟକୀୟ ପୁଷ୍ଟିସାଧନ ପାଇଁ ପରିପୂରକ ଖାଦ୍ୟ ଯୋଜନା ଦ୍ୱାରା ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ସତ୍ତ୍ୱେ ମଧ୍ୟ ଖାଦ୍ୟ ଯୋଗାଣରେ ଅଧିକ ସ୍ୱଚ୍ଛତା ଆଣିବା ଓ ପରିଚାଳନା ବ୍ୟବସ୍ଥାକୁ ନିୟମିତ ଭାବେ ନିରୀକ୍ଷଣ ଓ ତଦାରଖ କରିବା ଦିଗରେ ଏହି ୱେବସାଇଟ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଛତୁଆର ମାନବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମନ୍ୱିତ ପ୍ରୟାସ ବୋଲି ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ । ଆଜିର ସମ୍ମିଳନୀରେ ବିଭାଗୀୟ କମିସନର ତଥା ନିଦେ୍ର୍ଧଶିକା ସୁଜାତା କାର୍ତିକେୟନ, ସମାଜ କଲ୍ୟାଣ ନିଦେ୍ର୍ଧଶକ ଅରବିନ୍ଦ ଅଗ୍ରୱାଲ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଇନିସି ଏଟିଭର ଉପସଭାପତି ଦେବଜିତ ମିତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ୩୦ଟି ଜିଲ୍ଲାରୁ ସମାଜ ମଙ୍ଗଳ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ ।