ୱାର୍ଣ୍ଣଙ୍କ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ
ୱାର୍ଣ୍ଣଙ୍କ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ
ମେଲବର୍ଣ୍ଣ: ସ୍ପିନ୍ର ଯାଦୁଗର ସେନ୍ ୱାର୍ଣ୍ଣଙ୍କ ଅକାଳ ବିୟୋଗରେ ସ୍ତବ୍ଧ କ୍ରିକେଟ ଜଗତ। ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ହୃଦ୍ଘାତରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା।
ଏହି ଅଷ୍ଟ୍ରେଲୀୟ କିମ୍ବଦନ୍ତି ବୋଲରଙ୍କୁ ବଞ୍ଚାଇବା ପାଇଁ ତାଙ୍କର ୩ ଜଣ ବନ୍ଧୁ ୨୦ ମିନିଟ୍ ଧରି ସବୁ ପ୍ରକାରର ପ୍ରୟାସ କରିଥିଲେ। କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ୱାର୍ଣ୍ଣ ଆଉ ଫେରି ନଥିଲେ। ଥାଇଲ୍ୟାଣ୍ଡ ପୁଲିସ୍ର ସୂଚନା ଅନୁଯାୟୀ କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ୱାର୍ଣ୍ଣ ଓ ତାଙ୍କର ୩ ଜଣ ବନ୍ଧୁ ରହୁଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଡିନର ପାଇଁ ୱାର୍ଣ୍ଣ ନ ଆସିବାରୁ ତାଙ୍କର ଜଣେ ବନ୍ଧୁ ଡାକିବା ପାଇଁ ଯାଇଥିଲେ। ସେ ରୁମରେ ପହଞ୍ଚିଲା ବେଳକୁ ସେ ଅଚେତ ହୋଇ ପଡ଼ିଥିଲେ। ଏହା ଦେଖି ବନ୍ଧୁ ଜଣଙ୍କ ତୁରନ୍ତ ସିପିଆର କରିଥିଲେ। ଅନ୍ୟ ଦୁଇ ସାଙ୍ଗ ଆମ୍ବୁଲାନ୍ସ ଡାକିଥିଲେ।
ଖବର ପାଇ ଏମର୍ଜେନ୍ସି ରେସପନ୍ସ ଟିମ୍ ଭିଲ୍ଲାରେ ପହଞ୍ଚିଥିଲା। ସେମାନେ ମଧ୍ୟ ୧୦ରୁ ୧୫ ମିନିଟ ଧରି ଆଉ ଥରେ ସିପିଆର କରିଥିଲେ। ଏହାପରେ ଥାଇଲ୍ୟାଣ୍ଡ ଇଣ୍ଟରନ୍ୟାଶନାଲ ହସ୍ପିଟାଲର ଗୋଟିଏ ଆମ୍ବୁଲାନ୍ସ ପହଞ୍ଚିଥିଲା ଓ ୱାର୍ଣ୍ଣଙ୍କୁ ସେଠାକୁ ନିଆଯାଇଥିଲା। ହସ୍ପିଟାଲରେ ୫ ମିନିଟ ଧରି ପୁଣିଥରେ ତାଙ୍କର ସିପିଆର କରାଯାଇଥିଲା। ହେଲେ ଏହାପରେ ଶେନ ୱାର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୁଲିସ୍ କହିଛି।
ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ।
ଟେଷ୍ଟ୍ ମ୍ୟାଚ୍ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା। ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା। ସେ ଟେଷ୍ଟ୍ ମ୍ୟାଚ୍ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ। ୭୧ ରନ୍ରେ ୮ ୱିକେଟ୍ ଥିଲା ଏହି ଫର୍ମାଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଦିନିକିଆରେ ୩୩ ରନ୍ରେ ୫ଟି ୱିକେଟ୍ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।




admin 