୬ ଦିନରେ ବାତିଲ ହେଲା ଲକ୍ଷେ ରେଳ ଟିକେଟ୍
୬ ଦିନରେ ବାତିଲ ହେଲା ଲକ୍ଷେ ରେଳ ଟିକେଟ୍
admin
Mar 18, 2020 - 12:46
Updated: Mar 18, 2020 - 12:46
ଭୁବନେଶ୍ୱର: ଟ୍ରେନ ସେବା ଉପରେ ପଡ଼ିଛି ‘କରୋନା’ ର ପ୍ରଭାବ । ପୂର୍ବତଟ ରେଳପଥ ସମେତ ଦେଶର ସମସ୍ତ ରେଳପଥ ଏହା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ଟ୍ରେନ ଟିକେଟ ବାତିଲ କରୁଥିବା ନଜରକୁ ଆସିଛି । ଗତ ସପ୍ତାହକ ମଧ୍ୟରେ ଟ୍ରେନ ଟିକେଟ ବାତିଲ ସଂଖ୍ୟା ଶୀର୍ଷରେ ପହଞ୍ଚିଛି । ପୂର୍ବତଟ ରେଳପଥରେ ଗତ ୬ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯାତ୍ରୀ ଟିକେଟ ବାତିଲ କରିଛନ୍ତି । ଏହି ବାତିଲ ସଂଖ୍ୟା ଗତବର୍ଷ ବାତିଲ ହୋଇଥିବା ଟିକେଟ ସଂଖ୍ୟା ଠାରୁ ୭୬ ପ୍ରତିଶତ ଅଧିକ । ଏଭଳି ସ୍ଥିତି ପୂର୍ବରୁ କେବେ ବି ଦେଖିବାକୁ ମିଳି ନଥିଲା ।
ସାରା ଦେଶରେ ସ୍ଥିତି ଆହୁରି ସଙ୍ଗୀନ । ଭାରତୀୟ ରେଳପଥରେ ଟିକେଟ ବାତିଲ ସଂଖ୍ୟା ଗତବର୍ଷ ଅପେକ୍ଷା ୮୦ ପ୍ରତିଶତ ପହଞ୍ଚିଲାଣି । ଯାତ୍ରୀ ସଂଖ୍ୟା କମିବା ଦୃଷ୍ଟିରୁ, ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୫ ଯୋଡ଼ା (୧୦ଟି ଟ୍ରେନ) ସ୍ୱତନ୍ତ୍ର ଟ୍ରେନକୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି । ଯାତ୍ରୀ ଟିକେଟ ବୁକିଂ ଉପରେ ନିୟମିତ ଭାବେ ବିଶ୍ଲେଷଣ କରାଯାଉଛି । ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ । ପୂର୍ବତଟ ରେଳପଥର ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋଠାରୁ ଛାଡ଼ିବାକୁ ଥିବା ଟ୍ରେନଗୁଡ଼ିକୁ ଚାଦ (ବ୍ଲାଙ୍କେଟ) ଓ ପରଦାକୁ ବାହାର କରି ଦିଆଯାଇଛି । ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ସାଲ, ବେଡସିଟ୍ ଇତ୍ୟାଦି ସାଙ୍ଗରେ ନେଇପାରିବେ । ସେମାନେ ରେଲୱେ ଦ୍ୱାରା ପ୍ରଦାନ କରାଯାଇଥିବା ଚାଦର କି ବେଡସିଟ ବ୍ୟବହାର କରିପାରିବେ କିମ୍ବା ନିଜର ବ୍ୟବହାର କରିପାରିବେ ।