୨୦୨୪ ସୁଦ୍ଧା ସବୁ ଗାଁର ସମସ୍ତଙ୍କୁ ଘରେ ପାଣି ଟ୍ୟାପ୍

୨୦୨୪ ସୁଦ୍ଧା ସବୁ ଗାଁର ସମସ୍ତଙ୍କୁ ଘରେ ପାଣି ଟ୍ୟାପ୍

୨୦୨୪ ସୁଦ୍ଧା ସବୁ ଗାଁର ସମସ୍ତଙ୍କୁ ଘରେ ପାଣି ଟ୍ୟାପ୍
ଭୁବନେଶ୍ୱର: ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସବୁ ଲୋକଙ୍କ ଘରେ ପାଣି ଟ୍ୟାପ୍ ଲାଗିବ । ଫଳରେ ଲୋକଙ୍କୁ ଆଉ ଘର ବାହାରକୁ ଆସି ନଳକୂପ କିମ୍ବା ରାସ୍ତାକଡ଼ରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡ଼ିବ ନାହିଁ । ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କ ଏହି ବହୁ ଆକାଂକ୍ଷିତ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲ୍ଲା ସ୍ତରରେ ଗ୍ରାମାଞ୍ଚଳ ଜଳଯୋଗାଣର କି ସ୍ଥିତି ରହିଛି, ଚଳିତ ମାସ ଶେଷ ସୁଦ୍ଧା ସେ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମାଞ୍ଚଳର ଲୋକଙ୍କ ଘରେ ପାଣି ଟ୍ୟାପ ସ୍ଥାପନ ପୂର୍ବରୁ ସେହି ସବୁ ଅଞ୍ଚଳରେ ଥିବା ପାରମ୍ପରିକ ଜଳ ଯୋଗାଣ ବ୍ୟବସ୍ଥାର ସବିଶେଷ ବିବରଣୀ ସଂଗ୍ରହ କରାଯାଉଛି । ପାଇପ ଯୋଗେ ପାନୀୟ ଜଳଯୋଗାଣ ସହିତ ନଳକୂପ, ଗଭୀର କୂପ ଆଦିରୁ ଯୋଗାଇ ଦିଆଯାଉଥିବା ଜଳର ତାଲିକା ମିଳିବା ପରେ ସେଠାରେ ଲୋକଙ୍କ ଆବଶ୍ୟକତାକୁ ଚାହିଁ କିପରି ସେମାନଙ୍କ ଘରେ ଜଳ ପହଞ୍ଚିବ, ସେ ସଂକ୍ରାନ୍ତରେ କାର୍ଯ୍ୟଯୋଜନା ଚୂଡ଼ାନ୍ତ ହେବ । ଏହା ମଧ୍ୟରେ ଚାରିଟି ଜିଲ୍ଲା ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ ଓ ନୂଆପଡ଼ାରେ ଯୋଜନା ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ପୂର୍ବରୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ଜିଲ୍ଲାୱାରୀ ଅର୍ଥ ପ୍ରଦାନ କରୁଥିବା ବେଳେ ଖଣିଜ ଭିତ୍ତିକ ଜିଲ୍ଲାରେ ଅନ୍ୟ ଉତ୍ସରୁ ଅର୍ଥ ଆଣି ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିଲା । କିନ୍ତୁ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏପରି ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ଏହି ଯୋଜନା ପାଇଁ ରାଜ୍ୟସ୍ତରରେ ଏକକାଳୀନ ଅର୍ଥ ବରାଦ ହେବ, ଯାହା ଫଳରେ ଯୋଜନା ରୂପାୟନ କରିବା କ୍ଷେତ୍ରରେ ଆଉ ପ୍ରତିବନ୍ଧକ ରହିବ ନାହିଁ । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସେମାନଙ୍କ ଘରେ ଜଳ ଯୋଗାଣ ଟ୍ୟାପ୍ ଲଗାଇବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ବୈଠକରେ ପଞ୍ଚାୟତି ରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ପାନୀୟ ଜଳ ନିଦେ୍ର୍ଧଶିକା ରୂପା ମିଶ୍ର, ଯନ୍ତ୍ରୀ ମୁଖ୍ୟ ରବୀନ୍ଦ୍ର କୁମାର ନାୟକ, ମୁଖ୍ୟଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳ ଓ ବିଭାଗର ଅତିରିକ୍ତ ସଚିବ ଏସ ଏନ ଦାଶଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।