୨ ବର୍ଷ ହେଲା ଅନୁପସ୍ଥିତ ଇପିଏସ ଅଧିକାରୀ ଏନ୍ ବି ଭାରତୀ; ବାରମ୍ବାର ଚିଠି ଫେରିବା ପରେ ଖବରକାଗଜରେ ବିଜ୍ଞପ୍ତି
୨ ବର୍ଷ ହେଲା ଅନୁପସ୍ଥିତ ଇପିଏସ ଅଧିକାରୀ ଏନ୍ ବି ଭାରତୀ; ବାରମ୍ବାର ଚିଠି ଫେରିବା ପରେ ଖବରକାଗଜରେ ବିଜ୍ଞପ୍ତି
କଟକ: ୨ ବର୍ଷ ହେଲା କାର୍ୟ୍ୟରେ ଯୋଗ ଦେଉ ନାହାନ୍ତି ୧୯୯୮ ବ୍ୟାଚର ଓଡ଼ିଶା କ୍ୟାଡର୍ ଆଇପିଏସ ଅଧିକାରୀ ଏନ ବି ଭାରତୀ। ତାଙ୍କ ପତ୍ତା ମିଳୁନି। ସେ ଛୁଟି ନେଇ ନାହାନ୍ତି କି ମୌଖିକ ଭାବେ ଓଡ଼ିଶା ପୁଲିସର କୌଣସି ପଦସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି। ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏଭଳି ହଠାତ୍ ନିଖୋଜ ରହିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିଠିର ଉତ୍ତର ନ ଦେବା ଓ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକଙ୍କ କାର୍ୟ୍ୟାଳୟ ରାଜ୍ୟ ଅପରାଧ ନଥି ସଂସ୍ଥା, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ଖବରକାଗଜରେ ଏନ ବି ଭାରତୀଙ୍କୁ ନେଇ ଏକ ନୋଟିସ ଜାରି କରାଯାଇଛି। ଏନ ବି ଭାରତୀ, ପିତା ସ୍ୱର୍ଗତ ସିବି ନାରାୟଣ ଉଲ୍ଲେଖ ଥାଇ ରାଜାଜି ନଗର, ବାଙ୍ଗାଲୋର ଠିକଣାରେ ଚିଠି ପଠାଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଛି, ଏନ ବି ଭାରତୀଙ୍କ ପାଖକୁ ଯାଉଥିବା ଚିଠିଗୁଡ଼ିକ ଫେରିଆସୁଛି। ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟବିଧି ଆରମ୍ଭ ହୋଇଛି। ଘରୋଇ ବିଭାଗ ଆଦେଶ ନମ୍ବର ୪୫୧/ଆଇପିଏସ ତା. ୩.୧.୨୦୨୦ରେ ତଦନ୍ତ ନ୍ୟସ୍ତ ହୋଇଛି। ଏ ନେଇରାଜ୍ୟ ଅପରାଧ ନଥି ସଂସ୍ଥା ପକ୍ଷରୁ ତଦନ୍ତ ପାଇଁ ତାଙ୍କ ନିକଟକୁ ୧୫.୫.୨୦୨୦, ୧୮.୩.୨୦୨୦, ୧୮.୫.୨୦୨୦, ୧୮.୮.୨୦୨୦, ୧୯.୧୦.୨୦୨୦, ୧୯.୧୨.୨୦୨୦, ୧୮.୨.୨୦୨୧, ୨୪.୪.୨୦୨୧, ୧୧.୬.୨୦୨୧ ଓ ୩୧.୮ ୨୦୨୧ରେ ଉପରୋକ୍ତ ଠିକଣାରେ ଚିଠି ( ରେଜିଷ୍ଟ୍ରି ଓ ସ୍ପିଡ ପୋଷ୍ଟ) ପଠାଯାଇଥିଲେ ବି ସମସ୍ତ ଚିଠି ଫେରି ଆସିଛି। ଏପରିକି ମେଲରେ ଥିବା ଚିଠି ମଧ୍ୟ ସେ ପାଇନାହାନ୍ତି। ତାଙ୍କର ଅନୁପସ୍ଥିତି ଯୋଗୁଁ ତଦନ୍ତ ସମୟ ମଧ୍ୟ ବୃଦ୍ଧି ପାଇଛି। ବିଭାଗୀୟ କାର୍ୟ୍ୟବିଧିର ପରବର୍ତ୍ତୀ ତାରିଖ ୨୯.୧୦.୨୦୨୧କୁ ଧାର୍ୟ୍ୟ ହୋଇଛି। ସେ ଅନୁପସ୍ଥିତ ରହିଲେ ତାଙ୍କର କୌଣସି ପ୍ରତିବାଦ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସ୍ରେ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଏନ ବି ଭାରତୀ ଏଚଆରପିସି ଆଇଜି ଭାବେ କାର୍ୟ୍ୟରତ ଥିବା ସମୟରେ ବିବାଦୀୟସ୍ଥିତି ସୃଷ୍ଟି ହେବାରୁ ଏଡିଜି ତାଙ୍କ ପ୍ରକୋଷ୍ଠ ବାହାରେ ନୋଟିସ୍ ଲଗାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା। ଏବେ ଦୀର୍ଘ ଦିନ ଧରି ତାଙ୍କର ଏଭଳି ଢଙ୍ଗରେ ନିଖୋଜ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।




admin 