ୟୁଜିସିର ନିର୍ଦ୍ଦେଶନାମା, ଫି’ଫେରାଇନଥିବା ଶିକ୍ଷାନୁଷ୍ଠାନ ବିରୋଧରେ ନିଆଯିବ କାର୍ୟ୍ୟାନୁଷ୍ଠାନ
ୟୁଜିସିର ନିର୍ଦ୍ଦେଶନାମା, ଫି’ଫେରାଇନଥିବା ଶିକ୍ଷାନୁଷ୍ଠାନ ବିରୋଧରେ ନିଆଯିବ କାର୍ୟ୍ୟାନୁଷ୍ଠାନ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନାମଲେଖା ବାତିଲ ଓ ସ୍ଥାନାନ୍ତରଣ (ମାଇଗ୍ରେସନ୍) ପରେ ସମ୍ପୂର୍ଣ୍ଣ ଫି’ଫେରାଇନଥିବା ଶିକ୍ଷାନୁଷ୍ଠାନ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫିଟନେସ୍ ଅନୁମତିକୁ କାଢ଼ି ନିଆଯିବ । ସମସ୍ତ ଅନୁଦାନ ପାଣ୍ଠିକୁ ମଧ୍ୟ ସ୍ଥଗିତ ରଖାଯିବ । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଏ ସମ୍ପର୍କରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।
କରୋନା ଯୋଗୁଁ ୨୦୨୧-୨୨ରେ ଉଚ୍ଚଶିକ୍ଷାନୁଷ୍ଠାନରେ ନାମଲେଖା ବାତିଲ ହୋଇଥିବା ଓ ସ୍ଥାନାନ୍ତରଣ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ନାମଲେଖା ଫି’ ଫେରାଇବେ । କରୋନା ପାଇଁ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଅନେକ ଶିକ୍ଷାନୁଷ୍ଠାନ ଏହାକୁ ଗ୍ରହଣ କରିନାହାନ୍ତି । ପିଲାଙ୍କ ସମ୍ପୂର୍ଣ୍ଣ ଫି’ ଫେରାଇନାହାନ୍ତି ବୋଲି ଆର୍ଟିଆଇ ଓ ଅନ୍ୟାନ୍ୟ ମାଧ୍ୟମରେ ଆବେଦନ ଆସିଛି । ଏମିତିକି କୋର୍ଟରେ ମାମଲା ମଧ୍ୟ ହୋଇଛି ।
ଯେଉଁ ଶିକ୍ଷାନୁଷ୍ଠାନ ଏହି ନିୟମ ମାନିନଥିବ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ । ୟୁଜିସି ଆଇନ ୧୯୫୬ ଅନୁସାରେ ଦିଆଯାଇଥିବା ଫିଟନେସ୍ ଅନୁମତିକୁ କଢ଼ାଯିବ । ଯେଉଁ ଅନୁଦାନ ଦିଆଯାଇଛି ତାହାକୁ ସ୍ଥଗିତ ରଖାଯିବ । ୟୁଜିସିର କୌଣସି କାର୍ୟ୍ୟକ୍ରମରେ ସେହି ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବନି । ତାହାର ଅନୁମତିକୁ କାଢ଼ିବାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ସୁପାରିସ କରାଯିବ । ଯଦି ଡିମ୍ଡି ଟୁ ବି ୟୁନିଭର୍ସିଟି ହୋଇଥିବ, ତାହାର ଅନୁମତି ହଟାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ରାଜ୍ୟ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯିବ।




admin 