ଗଞ୍ଜାମ ଓ କନ୍ଧମାଳରେ ସ୍କୁଲ ଛୁଟି
ଗଞ୍ଜାମ ଓ କନ୍ଧମାଳରେ ସ୍କୁଲ ଛୁଟି
admin
Sep 6, 2019 - 06:37
Updated: Sep 6, 2019 - 06:37
ଭୁବନେଶ୍ୱର:ରାଜ୍ୟରେ ଲାଗି ରହିଥିବା ବର୍ଷା କାରଣରୁ ବିଭିନ୍ନ ଜଳଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳରେ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସେହିପରି ବର୍ଷାରେ ଗଞ୍ଜାମ ଜିଲ୍ଲା ବେହାଲ ହୋଇପଡ଼ିଛି । ଋଷିକୂଲ୍ୟା ଓ ଧନେଇ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଆସିକା, ହିଞ୍ଜିଳି, କବିସୂର୍ୟ୍ୟନଗର ଆଦି ସ୍ଥାନରେ ବିଭିନ୍ନ ପୋଲ ଉପରେ ପାଣି ଚାଲୁଛି । ଏହାକୁ ନଜରରେ ରଖି ସମସ୍ତ ସ୍କୁଲ ଓ ଅଙ୍କନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । କିନ୍ତୁ ଶିକ୍ଷକମାନେ ସ୍କୁଲକୁ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ କୋରାପୁଟ ଲମତାପୁଟର ଜଲାପୁଟ ଜଳଭଣ୍ଡାରର ୮ଟିରୁ ୩ଟି ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୨୭୪୮.୬୮ ମିଟର୍ ଓ ଜଳଭଣ୍ଡାରର ବିପଦ ସଂକେତ ରହିଛି ୨୭୫୦ ମିଟର୍ । ସେହିପରି ଇନ୍ଦ୍ରାବତୀ ନଦୀର ଉପରେ ଥିବା ଦୁଇଟି ଡ୍ୟାମ୍ରେ ଜଳ ପତ୍ତନ ବୃଦ୍ଧି ପାଇବାରୁ ୪ଟି ଗେଟ୍ ଖୋଲା ଯାଇଛି । ଇନ୍ଦ୍ରାବତୀ ଡ୍ୟାମ୍ ଓ ମୁରାନ୍ ଡ୍ୟାମ୍ର ଦୁଇଟି ଲେଖାଏଁ ଗେଟ୍ ଖୋଲି ଦିଆଯାଇଛି । ଡ୍ୟାମ୍ ଭିତରକୁ ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୮୨୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏହା ସହିତ ମାଛ କୁଣ୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିବାରୁ ୮ଟିରୁ ୪ଟି ଗେଟ୍ ଖୋଲା ଯାଇଛି । ଡ୍ୟାମ୍ ଭିତରକୁ ୨୨ ରୁ ୨୩ ହଜାର କ୍ୟୁସେକ୍ ଜଳ ପଶୁଥିବାବେଳେ ୧୨ ହଜାର କ୍ୟୁସେକ୍ ଜଳ ବାହାରୁଛି ।