ହାତୀ ମଡ଼କ ରୋକିବାରେ ସରକାର ଅସମର୍ଥ : ନନ୍ଦନକାନନରେ ତାଲା ପକାଇବ କଂଗ୍ରେସ
ହାତୀ ମଡ଼କ ରୋକିବାରେ ସରକାର ଅସମର୍ଥ : ନନ୍ଦନକାନନରେ ତାଲା ପକାଇବ କଂଗ୍ରେସ
admin
Sep 24, 2019 - 08:02
Updated: Sep 24, 2019 - 08:02
ଭୁବନେଶ୍ୱର : ନନ୍ଦନକାନନରେ ଗତ କିଛି ଦିନ ଧରି ଗୋଟିକ ପରେ ଗୋଟିଏ ହାତୀଙ୍କ ମୃତୁ୍ୟ ଘଟୁଥିବା ବେଳେ ଚିକିତ୍ସା ଯୋଗାଇବାରେ ସରକାର ଅସମର୍ଥ ହୋଇଛନ୍ତି । ଏହି ରୋଗ ବ୍ୟାପିବା ପଛରେ ଯେଉଁସବୁ କାରଣ ରହିଛି ତାହା ଅନୁଧ୍ୟାନ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ସମଗ୍ର ବିଏମସିରେ ଅଳିଆ ଆବର୍ଜନା ପାହାଡ଼ ପରି ଗଦା ହୋଇ ରହୁଛି । ପ୍ରଦୂଷିତ ପରିବେଶ ଯୋଗୁଁ ଏଭଳି ରୋଗ ବ୍ୟାପୁଥିବା ଆଶଙ୍କା କରାଯାଇଛି । ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରେ କଂଗ୍ରେସ ନନ୍ଦନକାନନରେ ତାଲା ପକାଇବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । କଂଗ୍ରେସ ଭବନଠାରେ ସୋମବାର ଗଣମାଧ୍ୟମକୁ ଶ୍ରୀ ରାଉତରାୟ କହିଛନ୍ତି ଯେ ଜାତୀୟ ସ୍ତରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ବିରଳ ପଶୁପକ୍ଷୀଙ୍କ ମୃତୁ୍ୟ ଘଟିବା ଅତ୍ୟନ୍ତ ଉଦ୍ବେଗର ବିଷୟ । ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ନେଉନଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏହା ବିରୋଧରେ ବାରମ୍ବାର ଆନେ୍ଦାଳନ କରି ଦାରୁଠେଙ୍ଗଠାରୁ ଅଳିଆ ହଟାଇବାକୁ ଦାବି କରି ଆସିଛନ୍ତି । ଏବେ ପରିସ୍ଥିତି ଅଣାୟତ୍ତ ହୋଇଥିବାରୁ କେବଳ ନନ୍ଦନକାନନରେ ଜୀବଜନ୍ତୁ ନୁହେଁ ବହୁ ଲୋକଙ୍କ ବିଭିନ୍ନ ରୋଗରେ ମୃତୁ୍ୟ ଘଟିଲାଣି ବୋଲି କଂଗ୍ରେସ ଅଭିଯୋଗ କରିଛି । ପ୍ରଦୂଷିତ ପରିବେଶକୁ ସ୍ଥାନୀୟ ଲୋକ ଏବଂ ନନ୍ଦନକାନନର ପଶୁପକ୍ଷୀଙ୍କୁ ବଞ୍ଚାଇବାକୁ କଂଗ୍ରେସ ଆଖପାଖ ଗ୍ରାମବାସୀଙ୍କୁ ନେଇ ଆନେ୍ଦାଳନ କରିବାକୁ ସ୍ଥିର କରିଛି । ଦୂଷିତ ପରିବେଶରୁ ଜନ୍ମ ନେଉଥିବା ଭୂତାଣୁ ଦ୍ୱାରା ୫ଟି ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳାବାଘ ବେଲେରା ମୂଷା ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମୃତୁ୍ୟ ଘଟୁଥିବା ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି । ଦାରୁଠେଙ୍ଗ, ପଟିଆ, ଚନ୍ଦକା ଆଦି ଗ୍ରାମର ଲୋକେ ନନ୍ଦନକାନନକୁ ସୁରକ୍ଷା ଦେବା ସହିତ ଦାରୁଠେଙ୍ଗ ଡମ୍ପିୟାର୍ଡ ସ୍ଥାନାନ୍ତର ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ମନୋରଞ୍ଜନ ଦାସ, ପୂର୍ବତନ ପିସିସି ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।