ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
admin
Nov 27, 2020 - 10:25
Updated: Nov 27, 2020 - 10:25
ଭୁବନେଶ୍ୱର: ବିଧାନସଭାର ଅପରାହ୍ନ ଅଧିବେଶନରେ ବି ପୁଣି ହୋହାଲ୍ଲା ହୋଇଛି । ପରୀ ହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଛି । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ । ପରୀ ହତ୍ୟା ମାମଲାରେ ଏସଆଇଟି ଗଠନ ନିଷ୍ପତ୍ତି ହୋଇନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତ୍ତିରୁ ଏହା ଜଣାପଡ଼ୁଛି ବୋଲି ଶ୍ରୀ ନାଏକ କହିଥିଲେ । ସରକାର ଘଟଣା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଥିଲେ । ଆମେ ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛୁ ବୋଲି ଶ୍ରୀ ନାଏକ କହିଥିଲେ । ତେବେ ନିଜ ଆସନକୁ ଫେରିଯିବାକୁ ବିରୋଧୀଙ୍କୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ନିବେଦନ କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟ ନିଜ ଜିଦରେ ଅଟଳ ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ପ୍ରକାଶ ଯେ, ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି । ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ଅଟଳ ରହିଛି । ଏନେଇ ଆଜି ଗୃହରେ ହୋହାଲ୍ଲା ହେବାରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ସତ୍ତ୍ୱେ ବି ଗୃହ କାର୍ୟ୍ୟ ସ୍ୱାଭାବିକ ନହେବାରୁ ସେ ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ କରିଥିଲେ ।
ଅପରାହ୍ନ ୩ଟା ପରେ ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ପରୀ ହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲେ ହେଁ ବିଜେପି ସଦସ୍ୟମାନେ ପୁଣି ନାରାବାଜି କରିଥିଲେ । ତେବେ ନିଜ ଆସନକୁ ଫେରିଯିବାକୁ ବିରୋଧୀଙ୍କୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ନିବେଦନ କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ନିଜ ଜିଦରେ ଅଟଳ ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଆସନ୍ତାକାଲି ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।