ସ୍ବପ୍ନ ରହିଗଲା ଅଧା, ଯୁବ ବୈଜ୍ଞାନିକଙ୍କ ସଲିଳ ସମାଧି
ସ୍ବପ୍ନ ରହିଗଲା ଅଧା, ଯୁବ ବୈଜ୍ଞାନିକଙ୍କ ସଲିଳ ସମାଧି
ବରଗଡ଼: ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପରି ବୈଜ୍ଞାନିକ ହେବେ। ତାକୁ ପୂରଣ କରିବାକୁ ସଂଘର୍ଷ ବି ଜାରି ରଖିଥିଲେ। ଶେଷରେ ଆଶା ପୂରଣ ହେଲା। ବରଗଡ଼ ଜିଲ୍ଲାର ଏକ ଉପାନ୍ତ ଗ୍ରାମ ଚାଷୀ ପରିବାରରେ ଜନ୍ମ ହୋଇଥିବା ନିହାର ରଞ୍ଜନ ମାତ୍ର ୨୭ ବର୍ଷରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଛୁଟିରେ ଘରକୁ ଆସିଥିବା ବେଳେ ଘଟିଲା ଏହି ଅଘଟଣ। ଯାହା ତାଙ୍କ ସୁନେଲି ଭବିଷ୍ୟତକୁ ପାଣିରେ ମିଶାଇ ଦେଲା। ନିଜ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି ସ୍ୱପ୍ନ ଦେଖୁଥିବା ନିହାର ସବୁ ଦିନ ପାଇଁ ଆଖି ବୁଜି ଦେଲେ। ଅଦିନରେ ନିହାରଙ୍କୁ ମୃତ୍ୟୁ ଟାଣି ନେଇଥିବା ବେଳେ ହତବାକ ହୋଇପଡ଼ିଛନ୍ତି ପରିବାର ଲୋକେ ତଥା ଗ୍ରାମବାସୀ।
ଗତକାଲି ନିହାର ଗାଁ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ଏପରି ଅକାଳ ବିୟୋଗରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି କ୍ଷ
ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମର ରାଜ କୁମାର ପ୍ରଧାନ ଓ ପଙ୍କଜିନୀ ପ୍ରଧାନଙ୍କ ସାନ ପୁଅ ହେଉଛନ୍ତି ନିହାର। ଛୋଟ ବେଳୁ ଅଞ୍ଚଳର ମେଧାବୀ ଛାତ୍ର ଥିବା ନିହାର ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖୁଥିଲେ। ନିଜ ଲକ୍ଷ୍ୟ ସାଧନ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ନିହାରଙ୍କୁ ଖୁବ୍ କମ୍ ବୟସରେ ମିଳିଥିଲା ସଫଳତା। ଗତବର୍ଷ ସେ ଇସ୍ରୋ ( ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ ବୈଜ୍ଞାନିକ ଭାବେ କାର୍ୟ୍ୟ କରିବାର ସୁଯୋଗ ପାଇଲେ।
ଦୀର୍ଘ ଦିନ ପରେ ଛୁଟି ନେଇ ଶନିବାର ଗାଁକୁ ଆସିଥିଲେ ନିହାର । ଛୁଟି ସରିଥିଲେ ପୁଣି ଉଡ଼ି ଯାଇଥାନ୍ତେ ନିଜ କର୍ମ ସଂସ୍ଥାନକୁ । ଏତେ ଦିନ ପରେ ପୁଅକୁ ପାଖରେ ପାଇ ବାପାମା’ଙ୍କ ଖୁସିର ବି ଠିକଣା ନ ଥିଲା। ହେଲେ ସବୁ କିଛି ନିମିଷେକ ମଧ୍ୟରେ ଶେଷ ହୋଇଗଲା। ପାଣି ଫୋଟକା ପରି ମିଳାଇଗଲା ଖୁସି। ପୁଅକୁ ପାଇ ଯେଉଁ ପରିବାର ଲୋକଙ୍କ ପାଦ ଖୁସିରେ ତଳେ ଲାଗୁ ନ ଥିଲା, ସେଠି ଏବେ ଅସମ୍ଭବ ନିରବତା। ପୂରା ଗାଁ ସଂପୂର୍ଣ୍ଣ ଶୋକରେ ଡୁବି ଯାଇଛି।




admin 