ସୁଶାନ୍ତଙ୍କ ଭଉଣୀ ନାମରେ ଅଭିଯୋଗ କଲେ ରିୟା
ସୁଶାନ୍ତଙ୍କ ଭଉଣୀ ନାମରେ ଅଭିଯୋଗ କଲେ ରିୟା
admin
Sep 7, 2020 - 13:46
Updated: Sep 7, 2020 - 13:46
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏକ ଏଫଆଇଆର ଦାଖଲ କରିଛନ୍ତି । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ନାମରେ ଏହି ଅଭିଯୋଗ କରାଯାଇଛି । ପ୍ରିୟଙ୍କାଙ୍କ ବ୍ୟତୀତ ଦିଲ୍ଲୀର ରାମମୋହନ ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ନାମରେ ମଧ୍ୟ ମାମଲା ଦାୟର କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ୫ ଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କୁ ନକଲି ପ୍ରେସକ୍ରିପସନ ଜରିଆରେ ଔଷଧ ଖାଇବାକୁ ଦେଇଥିବା ଅଭିଯୋଗ କରି ରିୟା ମାମଲା ରୁଜୁ କରିଛନ୍ତି ।
ସୁଶାନ୍ତ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟକୁ ନେଇ ଏହି ଅଭିଯୋଗ କରାଯାଇଛି । ଜୁନ୍ ୮ରେ ରିୟା ଘର ଛାଡିବା ପୂର୍ବରୁ ସୁଶାନ୍ତ ତାଙ୍କୁ ପ୍ରିୟଙ୍କାଙ୍କ ମେସେଜ ଦେଖାଇଥିଲେ । ସେ ଉକ୍ତ ଔଷଧ ଖାଇବାକୁ ବାରଣ କରିଥିଲେ ମଧ୍ୟ ସୁଶାନ୍ତ ଶୁଣିନଥିଲେ ବୋଲି ରିୟା କହିଛନ୍ତି । ପ୍ରିୟଙ୍କା ଯେଉଁ ଯେଉଁ ଔଷଧର ନାଁ ଲେଖିଛନ୍ତି ସମସ୍ତ ଔଷଧ ମାନସିକ ଅବସାଦ ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ସହିତ ସୁଶାନ୍ତଙ୍କୁ ମୁମ୍ବାଇର ଶ୍ରେଷ୍ଠ ମନୋବିଜ୍ଞାନୀଙ୍କୁ ଦେଖାଇବା ପାଇଁ ଉକ୍ତ ଚାଟରେ ଲେଖିଛନ୍ତି ପ୍ରିୟଙ୍କା ।
ଏହି ଚାଟରେ କୁହାଯାଇଥିବା ଔଷଧ ଗୁଡିକ ଇଲେକ୍ଟ୍ରୋନିକ ପ୍ରେସକ୍ରିପସନରେ ପ୍ରଦାନ କରାଯାଇନଥାଏ । ତେବେ ଏହା ସହିତ ସୁଶାନ୍ତଙ୍କ ମାନସିକ ଅବସାଦ ସମ୍ପର୍କରେ ଜାଣି ନଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ଉପରୁ ମଧ୍ୟ ପରଦା ଉଠିଛି । ରିୟା ପ୍ରିୟଙ୍କା ଏବଂ ତରୁଣଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଏନସିବି ଏବଂ ସିବିଆଇ ପକ୍ଷରୁ ରିୟାଙ୍କୁ ମାରାଥନ ଜେରା କରାଯାଉଛି । ଡ୍ରଗ୍ସ ଲିଙ୍କକୁ ନେଇ ରିୟାଙ୍କ ଭାଇ ସୌଭିକ ଏବଂ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ବର୍ତ୍ତମାନ ଏନସିବି ରିମାଣ୍ଡରେ ଅଛନ୍ତି ।