ସାମ୍ବାଦିକଙ୍କୁ ସରକାରୀ ସହାୟତା ନେଇ ବିଜ୍ଞପ୍ତି ଜାରି :ମୃତୁ୍ୟ ହେଲେ ୪ ଲକ୍ଷ, ପିଲାଙ୍କୁ ପଢ଼ା ଖର୍ଚ୍ଚ

ସାମ୍ବାଦିକଙ୍କୁ ସରକାରୀ ସହାୟତା ନେଇ ବିଜ୍ଞପ୍ତି ଜାରି :ମୃତୁ୍ୟ ହେଲେ ୪ ଲକ୍ଷ, ପିଲାଙ୍କୁ ପଢ଼ା ଖର୍ଚ୍ଚ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁ ସରକାର ବିଭିନ୍ନ ଘୋଷଣା କରିଛନ୍ତି । ଏଥିପାଇଁ ‘ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଡି ନିୟମ ୨୦୦୬’ର ସଂଶୋଧନ କରାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ମିଳିବ । ଏହା ସହ ତାଙ୍କ ପିଲାଙ୍କୁ ମାଟି୍ରକ ପଢ଼ିବା ଯାଏ ମାସକୁ ୧୫୦୦ ଟଙ୍କା ଉଚ୍ଚଶିକ୍ଷା ପାଇଁ ମାସକୁ ୨୫୦୦ ଟଙ୍କା ଲେଖାଏ ମିଳିବ । ଟୁ୍ୟସନ ଫି ଓ ପଠନ ସାମଗ୍ରୀ କିଣା ବାବଦକୁ ଏହି ଅର୍ଥ ଦିଆଯିବ । ସ୍ୱାସ୍ଥ୍ୟ ବିମା ବାଦ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର କୌଣସି ସଦସ୍ୟ ହାର୍ଟ, କିଡନି, କ୍ୟାନସର ପରି ଅନେକ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଦେବେ । ଯଦି ଚିକିତ୍ସା ଖର୍ଚ୍ଚ ସ୍ୱାସ୍ଥ୍ୟ ବୀମାର ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ଡିଏମଇଟିଙ୍କ ମଞ୍ଜୁର ନେଇ ଅଧିକ ଅର୍ଥ ପ୍ରଦାନ କରାଯିବ । ୩% ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବ । ୩ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଏବଂ ୩ ପ୍ରତିଶତ ସୁଧରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଋଣ ମିଳିବ । ଦୁର୍ଘଟଣା, ରୋଗରେ ପଡ଼ି ଅକର୍ମଣ୍ୟ ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ଆଇ ଆଇଏମସିରେ ତାଲିମ ପାଇଁ ପ୍ରତି ସାମ୍ବାଦିକ ପିଛା ୧୦ ହଜାର ଟଙ୍କା ଲେଖାଏଁ ସରକାର ଯୋଗାଇ ଦେବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।