ସାଂସଦ, ବିଧାୟକଙ୍କ ପ୍ରସ୍ତାବ ଉପରେ ଏଣିକି ତ୍ୱରିତ କାର୍ଯ୍ୟାନୁଷ୍ଠାନ
ସାଂସଦ, ବିଧାୟକଙ୍କ ପ୍ରସ୍ତାବ ଉପରେ ଏଣିକି ତ୍ୱରିତ କାର୍ଯ୍ୟାନୁଷ୍ଠାନ
admin
Oct 14, 2019 - 06:43
Updated: Oct 14, 2019 - 06:43
ଭୁବନେଶ୍ୱର : ବିଭିନ୍ନ କାମ ପାଇଁ ସାଂସଦ, ବିଧାୟକମାନେ ଦେଉଥିବା ପ୍ରସ୍ତାବ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ପ୍ରତ୍ୟେକ ବିଭାଗ ୧୫ ତାରିଖ ସୁଦ୍ଧା ସରକାରଙ୍କୁ ଜଣାଇବେ । ଏହି ଜନପ୍ରତିନିଧିଙ୍କ ସୁପାରିସର କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ସେଲ୍ ଗଠନ କରାଯିବ । ବିଭାଗ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମିଳିବା ପରେ ପ୍ରତିମାସ ୨୦ ତାରିଖ ସୁଦ୍ଧା ସମୀକ୍ଷା ପାଇଁ ମୁଖ୍ୟ ସଚିବଙ୍କ ନିକଟରେ ଦାଖଲ କରାଯିବ । ଉଲ୍ଲେଖଯୋଗ୍ୟ ଯେ ନିଜ ନିଜ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ତଥା ସଂସ୍କାରମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେବାକୁ ସାଂସଦ, ବିଧାୟକମାନେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଅନୁରୋଧ କରିଥାନ୍ତି । କିନ୍ତୁ ଜନପ୍ରତିନିଧିଙ୍କ ଏହି ଅନୁରୋଧ ଅଧିକାଂଶ ସମୟରେ କାର୍ଯ୍ୟରେ ପ୍ରତିଫଳିତ ହୁଏ ନାହିଁ । ବିଭାଗୀୟ ଅବହେଳା ହେଉ ଅବା ପରିଚାଳନାଗତ ଅବ୍ୟବସ୍ଥା, ନେତାଙ୍କ କଥା ରହେ ନାହିଁ । ଏଥିପାଇଁ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ ଗଠନ କରି ସାଂସଦ ଓ ବିଧାୟକଙ୍କ ନିକଟରୁ ଆସୁଥିବା ଅନୁରୋଧ ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ବିଧାନସଭାରେ ନିଷ୍ପତ୍ତି ହୋଇଥିଲା । ନେତାଙ୍କ ଅନୁରୋଧ ଉପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଆଦେଶ କାର୍ଯ୍ୟକାରୀ ହୋଇନଥିବାରୁ ସଂସଦୀୟ ବ୍ୟାପାର ବିଭାଗ ଏହି ମର୍ମରେ ପୁଣିଥରେ ସବୁ ବିଭାଗକୁ ପତ୍ର ଲେଖି ପଦକ୍ଷେପ ନେବାକୁ କହିଛି ।
ନୂତନ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ବିଭାଗରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବ । ଏଥିପାଇଁ ସମ୍ପୃକ୍ତ ବିଭାଗ ଜଣେ ନୋଡାଲ ଅଧିକାରୀଙ୍କ ନାମ ସୁପାରିଶ କରିବେ । ସେହିପରି ବିଭାଗ ଅଧୀନରେ ଥିବା ନିଦେ୍ର୍ଧଶାଳୟ ତଥା ଅଧସ୍ତନ କାର୍ଯ୍ୟାଳୟରେ ମଧ୍ୟ ଆଉ ଏକ ସେଲ ରହିବ, ଯାହା ସାଂସଦ ଓ ବିଧାୟକଙ୍କଠାରୁ ଆସୁଥିବା ଅନୁରୋଧ ପତ୍ର ଉପରେ ନିଆଯାଉ ଥିବା କାର୍ଯ୍ୟାନୁଷ୍ଠାନ ଅବା ସମସ୍ୟା ସମ୍ପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ ।
ପ୍ରତିମାସ ୧୦ ତାରିଖ ସୁଦ୍ଧା ବିଭାଗ ନିକଟରେ ରହି ରିପୋର୍ଟ ପହଞ୍ଚିବ ଏବଂ ସମ୍ପୃକ୍ତ ବିଭାଗ ୧୫ ତାରିଖ ସୁଦ୍ଧା ସଂସଦୀୟ ବ୍ୟାପାର ବିଭାଗ ନିକଟରେ ଦାଖଲ କରିବ । ଏହା ପରେ ସମୀକ୍ଷା ପାଇଁ ପ୍ରତିମାସ ୨୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରାଯିବ ।