ସବିଏସ୍‌ଇ ବହିରେ ଭୁଲ୍‌ ପାଠ

ସବିଏସ୍‌ଇ ବହିରେ ଭୁଲ୍‌ ପାଠ

ସବିଏସ୍‌ଇ ବହିରେ ଭୁଲ୍‌ ପାଠ

ସିବିଏସଇ ପଢ଼ାଉଛି ଭୁଲ ପାଠ। ଏନସିଇଆରଟି ତରଫରୁ ପ୍ରଣିତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି ‘ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ - ଓ" ବହିରେ ପଞ୍ଚମ ଅଧ୍ୟାୟ ରେ ପୃଷ୍ଠା-୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପ ରେ ଭୁଲ ତଥ୍ୟ ଦିଆ ଯାଇଛି । ଭାରତ ମ୍ୟାପ ରେ ଓଡ଼ିଶାର ଏକମାତ୍ର ନ୍ୟାସନାଲ ପାର୍କ ଭିତରକନିକା ନାଁ ନାହିଁ। କେବଳ ଚନ୍ଦକା-ଡମପଡା କୁ ୱାଇଲଡ ଲାଇଫ ସାଙ୍କଚୁଆରୀ ଏବଂ ଶିମିଳିପାଳ କୁ ନ୍ୟାସନାଲ ପାର୍କ ବୋଲି ଚିହ୍ନ ଦିଆଯାଇଛି । ଶିମିଳିପାଳ ଏକ ବାୟୋସ୍ଫୀୟର ରିଜର୍ଭ, ଯାହାକି ଏଯାଏଁ  ନ୍ୟାସନାଲ ପାର୍କ ମାନ୍ୟତା ପାଇ ନାହିଁ । ଏଇଭଳି ଭୁଲ ତଥ୍ୟ ଯୋଗୁଁ ପିଲା ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡ଼ କଥା ହେଲା ଭିତରକନିକା ଜାତୀୟ ଉଦ୍ୟାନ ସାରା ପୃଥିବୀରେ ବଉଳା କୁମ୍ଭୀର, ଅହିରାଜ ସାପ, ବର୍ମିଜ ଅଜଗର, ୱାଟର ମୋନିଟର ଲିଯାର୍ଡ (ଗୋଧି), ସହିତ ଅନ୍ୟାନ୍ୟ ବନ୍ୟ ପ୍ରାଣୀ ରେ ଭରପୁର । ଖାଲି ସେତିକି ନୁହେଁ ନାନା ଜାତିର ହେନ୍ତାଳ ବଣ, ଏବଂ ଅନ୍ୟାନ୍ୟ ଉଦ୍ଭିଦ କୁ ନେଇ ଭିତରକନିକା ସାରା ପୃଥିବୀରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ୧୯୯୮ ମସିହାରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ ଏନେଇ ନୋଟିଫିକେସନ ଜାରି କରାଯାଇଥିଲା ।

ହେଲେ ୨୪ ବର୍ଷ ପରେ ଏନସିଇଆରଟି ତରଫରୁ ଭାରତ ମ୍ୟାପରେ ଓଡ଼ିଶାର  ଭିତରକନିକା ନ୍ୟାସନାଳ ପାର୍କ ସ୍ଥାନ ନ ପାଇବା ନିଶ୍ଚୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଏହି ବହିର ତ୍ରୁଟି କୁ ତୁରନ୍ତ ସୁଧାରିବା ପାଇଁ ଉପଯୁକ୍ତ ସ୍ତରରେ ପଦକ୍ଷେପ ନେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଇମେଲ ମାଧ୍ୟମରେ ପତ୍ର ଲେଖିଛନ୍ତି । ଏହାର ନକଲ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ, ଏବଂ ସିବିଏସଇ ଚେୟାରମ୍ୟାନ ଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ସିବିଏସଇ ସ୍କୁଲ ମାନଙ୍କରେ ଏନସିଇଆରଟି ବହି ପଢିବା ପାଇଁ ଜୋର ଦିଆଯାଇଥାଏ । ତେଣୁ, ଓଡିଶା ମ୍ୟାପରେ ଭିତରକନିକା ନ୍ୟାସନାଲ ପାର୍କ କୁ କାଟି ଦେବା କେବେ ହେଲେ ଗ୍ରହଣୀୟ ନୁହେଁ । 

ସେହିପରି, ଶିମିଳିପାଳ କୁ ନ୍ୟାସନାଲ ପାର୍କ କହିବା ମଧ୍ୟ ଅନ୍ୟ ଏକ ଭୁଲ । କାରଣ ନ୍ୟାସନାଲ ପାର୍କ ଘୋଷଣା ହେବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି, ପାର୍କ ପରିସୀମା ଭିତରେ କୌଣସି ଜନବସତି ରହିବ ନାହିଁ । ଶିମିଳିପାଳ ରେ କିଛି ଗାଁ ଏଯାଏଁ ମଧ୍ୟ ରହିଅଛି । ଖାସ ସେଇ କାରଣରୁ ଶିମିଳିପାଳ କୁ ନ୍ୟାସନାଲ ପାର୍କ ମାନ୍ୟତା ଦେବା ପାଇଁ ଦୀର୍ଘରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଏଯାଏଁ ମାନ୍ୟତା ପାଇନାହିଁ । ଯେ ପର୍ୟ୍ୟନ୍ତ ଗୋଟିଏ ବି ପରିବାର ଶିମିଳିପାଳ ଅଭୟାରଣ୍ୟ ରେ ବାସ କରୁଥିବେ, ସେ ପର୍ୟ୍ୟନ୍ତ ଶିମିଳିପାଳ ନ୍ୟାସନାଲ ପାର୍କ ମାନ୍ୟତା ପାଇବ ନାହିଁ । ତେବେ, ଶିମିଳିପାଳ କୁ ବାୟୋସ୍ଫୀୟର ରିଜର୍ଭ ହିସାବରେ ମାନ୍ୟତା ଦିଅ ଯାଇଛି ।