ଶ୍ରୀମନ୍ଦିର ପ୍ରସଙ୍ଗରେ କମ୍ପିଲା ବିଧାନସଭା

ଶ୍ରୀମନ୍ଦିର ପ୍ରସଙ୍ଗରେ କମ୍ପିଲା ବିଧାନସଭା

ଶ୍ରୀମନ୍ଦିର ପ୍ରସଙ୍ଗରେ କମ୍ପିଲା ବିଧାନସଭା

ଭୁବନେଶ୍ୱର : ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ହେଉ। ଆମେ ସମସ୍ତେ ଏଇଆ ଚାହୁଁଛୁ  । କିନ୍ତୁ ଏହାଯୋଗୁଁ ଶ୍ରୀମନ୍ଦିର କ୍ଷତିଗ୍ରସ୍ତ ନହେଉ  । ଚତୁଃପାଶ୍ୱର୍ରେ ଖନନ ଯୋଗୁଁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେଉଥିବା କଥା କୁହାଯାଉଛି  । ଏଏସଆଇ ଏଥିପାଇଁ ଅନୁମତି ଦେଇନଥିବା କଥା ବି ଉଠୁଛି  । ତେଣୁ ଗୃହ କମିଟି ଗଠନ କରାଯାଇ ଏହାର ଅନୁଧ୍ୟାନ କରାଯାଉ  । ବିଧାନସଭାରେ ବିରୋଧୀ ବିଧାୟକମାନେ ଏହା କହିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରି ତୁମୁଳ ହଟ୍ଟଗୋଳ କରିଛନ୍ତି  । ଫଳରେ ଗୃହ ଅଚଳ ହେବା ସହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ବିଧାନସଭାର ଶୂନ୍ୟକାଳରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ  । ସେ କହିଲେଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ହେଉ  । ଏହାକୁ କେହି ମନା କରୁନାହାନ୍ତି  । କିନ୍ତୁ ଖନନ ଯୋଗୁଁ ଯେଉଁ ଭାଇବ୍ରେସନ ହେଉଛି, ସେଥିପାଇଁ ମନ୍ଦିରରେ ଫାଟ ସୃଷ୍ଟିହେଉଛି  । ଏଏସଆଇ ଓ ଏନଏମଏ ଏଥିପାଇଁ ଅନୁମତି ଦେଇନାହାନ୍ତି ବୋଲି କହିଛନ୍ତି  । ତେଣୁ ବିଧାନସଭା କମିଟି ଗଠନ କରି ଅନୁଧ୍ୟାନ କରାଯାଉ  । ଯଦି ମନ୍ଦିର ପାଇଁ ବିପଦ ସୃଷ୍ଟି ହୁଏ ତେବେ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଜୟନ୍ତ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ  ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ହେଉଥିବା ବିକାଶକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛି  । କିନ୍ତୁ ବିକାଶ ନାମରେ ବିନାଶ ନହେଉ  । ମନ୍ଦିର ପ୍ରତି ବିପଦ ରହିଥିବାରୁ ଗୃହ କମିଟି ଗଠନ କରି ଅନୁଧ୍ୟାନ କରିବା ଦରକାର  । ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତର ରଖିବାକୁ ସେ ଦାବି କରିଥିଲେ  । ବିଜେପି ବିଧାୟକ ଭାସ୍କର ମଢେ଼ଇ ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ  । ପରେ ରୁଲିଂ ଦାବିରେ ବିଜେପି  ବିଧାୟକମାନେ ଗୃହର ମଧ୍ୟଭାଗରେ ତୁମୁଳ ହଟ୍ଟଗୋଳ କରିଥିଲେ  । ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି  ।