ରାଜ୍ୟସଭା ପାଇଁ ରିସୋର୍ଟ ରାଜନୀତି

ରାଜ୍ୟସଭା ପାଇଁ ରିସୋର୍ଟ ରାଜନୀତି

ରାଜ୍ୟସଭା ପାଇଁ ରିସୋର୍ଟ ରାଜନୀତି

ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ରିସୋର୍ଟ ରାଜନୀତି । ଘୋଡ଼ା ବେପାର ଆଶଙ୍କାରେ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ଉଦୟପୁରର ଏକ ତାରକା ହୋଟେଲକୁ ପଠାଇ ଦେଇଛି । ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହାରର କୌଣସି ଲୋକଙ୍କୁ ଭିତରକୁ ଛଡ଼ାଯାଉନି କିମ୍ବା ଭିତର ଲୋକଙ୍କୁ ବାହାରକୁ ଯିବା ଉପରେ ବାରଣ କରାଯାଇଛି । ଏମିତିକି ବିଧାୟକଙ୍କୁ ବାହାର ଲୋକଙ୍କ ସହ ଫୋନରେ କଥା ହେବାକୁ ମନା କରାଯାଇଛି । ନିଜେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂରା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରୁଛନ୍ତି ।   କଂଗ୍ରେସ ରାଜସ୍ଥାନରୁ ମୁକୁଲ ୱାସନିକ, ରଣୀଦୀପ ସୁର୍ଯେ୍ୟୱାଲା ଓ ପ୍ରମୋଦ ତିୱାରୀଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରାର୍ଥୀ କରିଛି । କଂଗ୍ରେସର ସଂଖ୍ୟା ଯେତିକି ଓ ସହଯୋଗୀଙ୍କ ସଂଖ୍ୟାକୁ ମିଶାଇଲେ କଂଗ୍ରେସର ତିନି ପ୍ରାର୍ଥୀ ଜିତିବାରେ ଅସୁବିଧା ନାହିଁ । ମାତ୍ର କ୍ରସ ଭୋଟିଂ ଭୟ ଘାରିଛି ଦଳକୁ । ବିଜେପି ଏଠାରେ ଜଣକୁ ପ୍ରାର୍ଥୀ କରିଥିବାବେଳେ ନିର୍ଦ୍ଧଳୀୟ ପ୍ରାର୍ଥୀ ଏକ ଜାତୀୟ ମିଡିଆ ସଂସ୍ଥା ମାଲିକ ସୁବାସ ଚନ୍ଦ୍ରାଙ୍କୁ ବି ସମର୍ଥନ ଦେଇଛି । ତେଣୁ ସୁବାସ ବି ଜିତିବା ନେଇ ଦମ୍ଭୋକ୍ତି ରଖୁଥିବାବେଳେ କଂଗ୍ରେସକୁ କ୍ରସ ଭୋଟିଂ ଚିନ୍ତା ଘାରିଲାଣି । ରାଜସ୍ଥାନ କଂଗ୍ରେସରେ ଗେହଲଟଙ୍କ ବିରୋଧୀ ବହୁ ବିଧାୟକ ମଧ୍ୟ ଅଛନ୍ତି । ଯଦି ସେମାନେ କ୍ରସ ଭୋଟିଂ କରିବେ, କଂଗ୍ରେସର ତୃତୀୟ ପ୍ରାର୍ଥୀ ହୋଇଥିବା ଭେଟେରାନ ପ୍ରମୋଦ ତିୱାରୀ ରାଜ୍ୟସଭା ବାଟ ବନ୍ଦ ହୋଇଯିବ । ଏମିତିରେ ରାଜସ୍ଥାନ ରାଜନୀତି ରୋଚକ ରୂପ ନେଇଛି । 

  କେବଳ କଂଗ୍ରେସ ନୁହେଁ, ବିଜେପିକୁ ବି କ୍ରସ ଭୋଟିଂ ଆଶଙ୍କା ଟେନସନ ଦେଉଛି । ଦଳରେ ବସୁନ୍ଧରା ରାଜେଙ୍କ ସମର୍ଥକ ଅସନ୍ତୁଷ୍ଟ ଅଛନ୍ତି । ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ଘନଶ୍ୟାମ ତିୱାରୀ ନିଜେ ବସୁନ୍ଧରାଙ୍କୁ ଭେଟି ବସୁନ୍ଧରାଙ୍କ ସମର୍ଥନ ଲୋଡ଼ିଛନ୍ତି । ବସୁନ୍ଧରା ଯଦି କେନ୍ଦ୍ରୀୟ ନେତାଙ୍କୁ ପାନେ ଦେବାକୁ ଚିନ୍ତା କରୁଥିବେ, ତେବେ ବିଜେପିକୁ ମହଙ୍ଗା ପଡ଼ିପାରେ । ତେଣୁ ବିଜେପି ମଧ୍ୟ ନିଜ ବିଧାୟକଙ୍କୁ ଜଗିବା ଆରମ୍ଭ କରିଛି ।