ଓଡ଼ିଶାର ୩ ଆସନ ଲାଗି ଜୁନ୍‌ ୧୦ରେ ରାଜ୍ୟସଭା ଭୋଟ୍‌ ଗ୍ରହଣ

ଓଡ଼ିଶାର ୩ ଆସନ ଲାଗି ଜୁନ୍‌ ୧୦ରେ ରାଜ୍ୟସଭା ଭୋଟ୍‌ ଗ୍ରହଣ

ଓଡ଼ିଶାର ୩ ଆସନ ଲାଗି ଜୁନ୍‌ ୧୦ରେ ରାଜ୍ୟସଭା ଭୋଟ୍‌ ଗ୍ରହଣ

ଭୁବନେଶ୍ବର/ନୂଆଦିଲ୍ଲୀ  : ଜୁନ୍ ୧୦ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ।  ୧୫ ରାଜ୍ୟରେ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।  ଏଥିରେ ଓଡ଼ିଶାର ୩ଟି ଆସନ ରହିଛି। ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ହେବ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।

ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେଡିର ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ କାର୍ୟ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୮ ଜଣ ସଭ୍ୟ ଥିଲା ବେଳେ ବିଜେପିର ଜଣେ ସଭ୍ୟ ଅଛନ୍ତି। ସୁବାସ ସିଂହ ଇସ୍ତଫା ଦେଲା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ଖାଲି ଆସନରେ ନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶ୍ରୀ ଆଚାର୍ୟ୍ୟ ଓ ଶ୍ରୀ ରାଓ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜୁଲାଇ ୧ ତାରିଖରେ ସମ୍ପୂର୍ଣ୍ଣ ୬ ବର୍ଷ କାର୍ୟ୍ୟକାଳ ଶେଷ କରିବେ। ଶ୍ରୀ ପାତ୍ର ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୩ ବର୍ଷ ପ୍ରତିନିଧିତ୍ବ କରିଛନ୍ତି। ପ୍ରତାପ ଦେବ ବିଧାୟକ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଯେଉଁ ଆସନ ଖାଲି ପଡ଼ିଥିଲା, ସେଥିରେ ବିଜେଡି ଶ୍ରୀ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଏହି ଆସନର କାର୍ୟ୍ୟକାଳ ୨୦୨୨ ଜୁଲାଇ ୧ ପର୍ୟ୍ୟନ୍ତ ରହିଛି।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଆସନ ପାଇଁ ଭୋଟ୍ ହେବାକୁ ଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ୬ ଆସନରେ ଭୋଟ୍ ହେବ। ବିହାରରେ ୫ଟି ଆସନ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ୩ଟି ଲେଖାଏଁ ଆସନ ଏବଂ ପଞ୍ଜାବ , ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ୨ଟି ଲେଖାଏଁ ଆସନ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ଆସନରେ ନିର୍ବାଚନ େହବ। ଉକ୍ତ ୫୭ ଆସନ ମଧ୍ୟରୁ ୨୩ଟି ବିଜେପି ପାଖରେ ଥିବାବେଳେ ୮ଟି କଂଗ୍ରେସ ପାଖରେ ରହିଛି। ତେବେ ଏହି ନିର୍ବାଚନ ପରେ ଏମ୍ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ ଏବଂ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ବାଧୀନ ଆପ୍ ଦଳର ଶକ୍ତି ବଢ଼ିବ। ଅର୍ଥ ମନ୍ତ୍ରୀ ନୀର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭିଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନ ଲଢ଼ିବେ। ପି ଚିଦମ୍ବରମ, କପିଲ ସିବଲ, ଜୟରାମ ରମେଶ ଏବଂ ଅମ୍ବିକା ସୋନିଙ୍କ ଭଳି କଂଗ୍ରେସ ନେତାଙ୍କ କାର୍ୟ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି।

ଉତ୍ତରପ୍ରଦେଶରେ ୧୧ ଆସନ ମଧ୍ୟରୁ ଶାସକ ବିଜେପି ପାଖରେ ୭ଟି ଆସନ ରହିବ ଏବଂ ସମାଜାବାଦୀ ପାର୍ଟି ବାକି ୪ଟି ଆସନ ଦାବି କରିପାରେ। ସତୀଶ ଚନ୍ଦ୍ର ମିଶ୍ରଙ୍କ ଇସ୍ତଫା ସହ ବିଏସ୍ପିର ମାତ୍ର ଜଣେ ସଦସ୍ୟ ରାଜ୍ୟସଭାରେ ରହିବେ।