ରଥ ନିର୍ମାଣ କାର୍ଯ୍ୟ ୮୫ରୁ ୯୦ ପ୍ରତିଶତ ଶେଷ : ୯ ସୁଦ୍ଧା ସରିଯିବ ରଥ ନିର୍ମାଣ

ରଥ ନିର୍ମାଣ କାର୍ଯ୍ୟ ୮୫ରୁ ୯୦ ପ୍ରତିଶତ ଶେଷ : ୯ ସୁଦ୍ଧା ସରିଯିବ ରଥ ନିର୍ମାଣ

ରଥ ନିର୍ମାଣ କାର୍ଯ୍ୟ ୮୫ରୁ ୯୦ ପ୍ରତିଶତ ଶେଷ : ୯ ସୁଦ୍ଧା ସରିଯିବ ରଥ ନିର୍ମାଣ

ପୁରୀ : ରଥ ନିର୍ମାଣ କାର୍ଯ୍ୟ ୮୫ରୁ ୯୦ ପ୍ରତିଶତ ଶେଷ ହୋଇଛି । ତିନି ରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭା ଫ୍ରେମରେ ପଡ଼ା ବାଡ଼ିଆ ପରେ ରୂପ ଖୋଦେଇ ପଟା ସଂଯୋଗ ଚାଲିଛି । ଚାରପରିଛାକୁ ମୁଣ୍ଡାଇ ରଖିବା ପାଇଁ ୫ଟି ଲେଖାଏଁ ଗୁଣ୍ଡି ନିର୍ମାଣ ହୋଇ ରଥ ସମ୍ମୁଖ ସାଲଗୁଜଗୁଡ଼ିକରେ ସଂଯୋଗ କରାଯାଇଛି । ଘୋଡ଼ା ଖଞ୍ଜିବା ପାଇଁ ଇଶ ନିର୍ମାଣ ଶେଷ ହୋଇ ବିନ୍ଧ କାର୍ଯ୍ୟ କରାଯାଉଛି । ୩ ରଥର ୪ଟି ଲେଖାଏଁ ପାଦି ନିର୍ମାଣ ଶେଷ ହୋଇଛି । ଜଗତପୃଷ୍ଠ ଶେଣିର ଉଭୟ ପାର୍ଶ୍ୱରେ ୩ଟି ଲେଖାଏଁ ବାହୁଟ ଫାଳିଆ ସଂଯୋଗ ହୋଇ ବେଦୀ ପଟା ପଡ଼ିଛି । ଚିତ୍ରକର ସେବକମାନେ ଦୁଆର ବେଢ଼ାରେ ଚିତ୍ର କରିବା ସହ ରଥ ପାର୍ଶ୍ୱ ଦେବାଦେବୀ, ନାଟଗୋଡ଼, ଓଲଟ ଶୁଆରେ ରଙ୍ଗ ଦେଉଛନ୍ତି । ଦରଜୀ ସେବକମାନେ ରଥ କପଡ଼ା ସହ ଜରି ଲେସ ସଂଯୋଗ କାର୍ଯ୍ୟ କରୁଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ରଥ ସେବକମାନଙ୍କ ସେବା ଭାବ, କର୍ତ୍ତବ୍ୟନିଷ୍ଠା ଓ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଏହା ସମ୍ଭବ ହୋଇଛି । ଆଉ ଅଳ୍ପ କିଛି କାମ ବାକି ଥିବାରୁ ୯ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି । ରଥଯାତ୍ରାକୁ ଯେପରି ସୁରୁଖୁରୁରେ ସମ୍ପାଦନ କରାଯିବ ସେନେଇ ସେ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ କହିଛନ୍ତି, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ସେବକମାନଙ୍କର କରୋନା ପରୀକ୍ଷା କରାଯିବ ।