ଯିଏ ଅଧିକ ମୋଟା ସିଏ ବେଶି ସୁନ୍ଦର

ଯିଏ ଅଧିକ ମୋଟା ସିଏ ବେଶି ସୁନ୍ଦର

ଆଧୁନିକ ଜୀବନଚର୍ଯ୍ୟାରେ ବିରାଟକାୟ ପେଟ ବା ମେଦ ବହୁଳତାକୁ ଏକ ଅଭିଶାପ ବୋଲି ବିଚାର କରାଯାଏ । ଏହା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ଅରୁଚିକର ବା ଅସୁନ୍ଦର ଚେହେରା ଭାବେ ପରିଗଣିତ ହୋଇଥାଏ । ତେବେ ପଶ୍ଚିମ ଇଥିଓପିଆର ଅପନ୍ତରା ଓମୋ ଉପତ୍ୟକାରେ ବସବାସ କରୁଥିବା ବୋଦି ସମ୍ପ୍ରଦାୟର ପୁରୁଷମାନେ ନିଜକୁ ମାତ୍ରାଧିକ ପେଟୁଆ କରି ଗଢ଼ି ତୋଳିବାକୁ ଏକ ସୌଭାଗ୍ୟ ବୋଲି ବିଚାରିଥାନ୍ତି । କାରଣ ସେଠାରେ ପେଟୁଆ ଲୋକମାନେ ଅନ୍ୟମାନଙ୍କ ପାଇଁ ଆକର୍ଷଣୀୟ ତଥା ମାନ୍ୟଗଣ୍ୟ ମନେ ହୋଇଥାନ୍ତି । ସବୁଠୁ ପେଟୁଆ ବ୍ୟକ୍ତିକୁ ସମ୍ମାନିତ ଓ ପୁରସ୍କୃତ କରିବା ଲାଗି କାଏଲ ନାମରେ ଏକ ବାର୍ଷିକ ଉତ୍ସବର ଆୟୋଜନ କରାଯାଇଥାଏ ।

ତେବେ ଏଭଳି ଏକ ନିଆରା ପ୍ରତିଯୋଗିତାରେ ଭାଗ ନେବା ଲାଗି ପୁରୁଷମାନଙ୍କୁ ଦୀର୍ଘ ଛଅ ମାସ ଧରି କସରତ କରିବାକୁ ପଡ଼ିଥାଏ । ସେଥିପାଇଁ ସେମାନେ ଉତ୍ସବର ଛଅମାସ ପୂର୍ବରୁ କୌଣସି ଶାରୀରିକ ପରିଶ୍ରମ ନକରି ଘରେ ବସି ରହନ୍ତି । ଏବଂ ଗାଈ କ୍ଷୀର ଓ କଞ୍ଚାରକ୍ତ ପରି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଥାନ୍ତି । ଗୋପାଳନ ଓ କୃଷି ଉପରେ ନିର୍ଭର କରୁଥିବା ଏହି ସମ୍ପ୍ରଦାୟ ପାଇଁ ଗାଈ ଏକ ପବିତ୍ର ଜୀବ ହୋଇଥିବାରୁ ରକ୍ତ ପିଇବା ପାଇଁ ସେମାନେ ଗୋହତ୍ୟା କରନ୍ତି ନାହିଁ । ବରଂ ଗାଈର କୌଣସି ଶିରାକୁ ଛୁଞ୍ଚିରେ ପୋଡ଼ି କଞ୍ଚା ରକ୍ତ ସଂଗ୍ରହ କରି ତାହାକୁ ଭକ୍ଷଣ କରିଥାନ୍ତି । ସାଧାରଣତଃ ଏହି ସମ୍ପ୍ରଦାୟର ଲୋକମାନେ ସ୍ୱାଭାବିକ ଭାବେ ପତଳା ଓ ଟାଣ ମାଂସପେଶୀଯୁକ୍ତ ହୋଇଥିବା ବେଳେ କାଏଲ ପ୍ରତିଯୋଗିତା ପାଇଁ ସେମାନେ ଏପରି ପୃଥୁଳକାୟ ହୋଇଯାଆନ୍ତି ଯେ କେହି କେହି ଆଦୌ ଚଳପ୍ରଚଳ କରିପାରନ୍ତି ନାହିଁ ।