ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ,୧୭ରେ ବୈଠକ
ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ,୧୭ରେ ବୈଠକ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମିଳିତ ପ୍ରାର୍ଥୀ ଦେବା ନେଇ ଆଗ୍ରହୀ ବିରୋଧୀ ଦଳ । ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ୧୭ ତାରିଖରେ ସମସ୍ତ ବିରୋଧୀ ଦଳର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମସ୍ତ ବିରୋଧୀ ଦଳର ନେତା ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ।
ଖାର୍ଗେ କହିଛନ୍ତି, ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି । ତେଣୁ ଏହା ପୂର୍ବରୁ ୧୭ରେ ବିରୋଧୀ ଦଳମାନେ ଏକାଠି ହୋଇ ମିଳିତ ମଞ୍ଚ ପକ୍ଷରୁ ଉପଯୁକ୍ତ ପ୍ରାର୍ଥୀ ନେଇ ବିଚାରବିମର୍ଶ କରିବେ । ବିଭିନ୍ନ ବିରୋଧୀ ଦଳମାନେ ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆଣିବେ ବୋଲି ଖାର୍ଗେ କହିଛନ୍ତି ।ତେବେ ଏହି ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ କଂଗ୍ରେସ ଆଗୁଆ ନଜର ଆସୁଥିବାରୁ, ପ୍ରାର୍ଥୀ କଂଗ୍ରେସରୁ ହେବ କି ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ଖାର୍ଗେ । କଂଗ୍ରେସ ନିଜ ପ୍ରାର୍ଥୀ ଛିଡା କରିବାକୁ ଚାହୁଁନାହିଁ । ସମସ୍ତ ବିରୋଧୀ ଦଳଙ୍କ ସହମତିରେ ଯେକୌଣସି ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାମରେ ଚୂଡାନ୍ତ ମୋହର ଲାଗିବା ନେଇ ସେ ମତ ରଖିଛନ୍ତି ।
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ୟ୍ୟକାଳ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଜୁଲାଇ ୧୯ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ ୬ ତାରିଖରେ ଭୋଟିଂ ହେବ । ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଦଳ ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଅଗଷ୍ଟ ୬ ତାରିଖରେ ଦେଶର ନୂତନ ତଥା ୧୬ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।




admin 