ମାସେ ଯାଏ ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବନି ବିମାନ
ମାସେ ଯାଏ ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବନି ବିମାନ
ଭୁବନେଶ୍ୱର: ମାସକ ଯାଏ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ କୌଣସି ବିମାନ ଉଡ଼ାଣ କରିବନି । କେବଳ ଦେଶ ଭିତରେ ବା ଅନ୍ତଃରାଜ୍ୟ ବିମାନ ଚଳାଚଳ କରିବ । ଓମିକ୍ରନକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଥିବା କଟକଣାକୁ ଆଉ ମାସେ ଯାଏ ବଢ଼ାଇବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବିମାନ ବନ୍ଦର ପ୍ରାଧିକରଣ ବହୁ ବରିଷ୍ଠ ଅଧିକାରୀ, ଅନ୍ୟ ବିମାନ ବନ୍ଦରର କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ, ବିଏମସି ଓ ରାଜ୍ୟସରକାରଙ୍କ କିଛି ଅଧିକାରୀ ଉପସ୍ଥିତ ଥିଲେ । ଏବେ ବିଦେଶରୁ କୌଣସି ବିମାନ ଭୁବନେଶ୍ୱରରେ ସିଧାସଳଖ ଆସି ଓହ୍ଲାଉନି । କିନ୍ତୁ ଲିଙ୍କ ଫ୍ଲାଇଟରେ କିଛି ଯାତ୍ରୀ ବିଦେଶରୁ ଭୁବନେଶ୍ୱରକୁ ଆସୁଛନ୍ତି । ଯେଉଁ ମାନେ ବିଦେଶରୁ ଆସି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ବା ଦେଶର ଅନ୍ୟ କୌଣସି ବିମାନ ବନ୍ଦରରେ ଓହ୍ଲାଉଛନ୍ତି ସେମାନଙ୍କ ସେହି ବିମାନ ବନ୍ଦରରେ କଡ଼ା ଯାଞ୍ଚ କରାଯିବ । ସେଠାରେ ସେମାନଙ୍କୁ ବାଧ୍ୟତାମୂଳକ ଟେଷ୍ଟିଂ ସହ କ୍ୱାରେଣ୍ଟାଇନରେ ରଖିବାକୁ ନିୟମ କରାଯାଇଛି । କିନ୍ତୁ କୌଣସି ଯାତ୍ରୀ ବିଦେଶରୁ ସିଧା ଆସି ଭୁବନେଶ୍ୱରରେ ଓହ୍ଲାଉନଥିବାରୁ କୌଣସି ବିପଦ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଛି ।




admin 