ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
admin
Nov 20, 2020 - 07:50
Updated: Nov 20, 2020 - 07:50
ସିଲିପୁଞ୍ଜି: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ ବସାସାହିରେ ଜଣେ ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ବସାସାହି ଗ୍ରାମର ସ୍ୱର୍ଗତ ରାମ ମୁଣ୍ଡାଙ୍କ ସ୍ତ୍ରୀ ପ୍ରମିଳା ମୁଣ୍ଡା (୪୮) । ହତ୍ୟା ପରେ ଦୁର୍ବୃତ୍ତ ତାଙ୍କ ଘରୁ କୁକୁଡ଼ା ଏବଂ ଦରକାରୀ କାଗଜପତ୍ର ଚୋରି କରିନେଇଥିବା ଜଣାପଡ଼ିଛି । ବାରିଆ ପୁଲିସ ଘଟଣା ସ୍ଥଳରେ ମୃତଦେହ ଜବତ କରିଛି । ସାଇଣ୍ଟିଫିକ ସହାୟତାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁସାରେ ୪ ବର୍ଷ ପୂର୍ବେ ରାମ ମୁଣ୍ଡାଙ୍କ ମୃତୁ୍ୟ ପରେ ତାଙ୍କ ସ୍ତ୍ରୀ ପ୍ରମିଳା ମୁଣ୍ଡା ୩ ଝିଅ ଏବଂ ୨ ପୁଅଙ୍କ ସହ ରହୁଥିଲେ । ବଡ଼ ଝିଅର ବିବାହ ହୋଇଥିବା ବେଳେ ବଡ଼ ପୁଅ ବାହାରେ ରହି କାମ କରୁଛନ୍ତି । ସାନ ପୁଅ କିଛି ଦିନ ହେଲାଣି ନିଜ ମାମୁଁ ଘରେ ରହୁଛନ୍ତି । ଏଣୁ ଏବେ ପରିବାର ପ୍ରମିଳା ମୁଣ୍ଡା ଦୁଇ ଝିଅଙ୍କ ସହ ରହୁଥିଲେ । ବୁଧବାର ରାତିରେ ଖାଇସାରିବା ପରେ ଦୁଇ ଝିଅ ପଡେ଼ାଶୀଙ୍କ ଘରକୁ ଶୋଇବାକୁ ଚାଲି ଯାଇଥିଲେ । ପ୍ରମିଳା ଘରେ ଏକୁଟିଆ ଶୋଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ତାଙ୍କ ବେକକୁ ହାଣି ହତ୍ୟା କରାଯାଇଥିଲା ।