କରୋନା ସଂକ୍ରମଣରୁ ରକ୍ଷା କରିପାରୁନି ମାସ୍କ!

କରୋନା ସଂକ୍ରମଣରୁ ରକ୍ଷା କରିପାରୁନି ମାସ୍କ!

କରୋନା ସଂକ୍ରମଣରୁ ରକ୍ଷା କରିପାରୁନି ମାସ୍କ!
କୋପେନହେଗେନ: କରୋନା ସଂକ୍ରମଣରୁ ମାସ୍କ ରକ୍ଷା କରିବ ବୋଲି କୁହାଯାଉଥିଲା ବେଳେ ବିଭିନ୍ନ ଦେଶରେ ସର୍ବସାଧାରଣ ସ୍ଥାନରେ ଏହାକୁ ପରିଧାନ କରିବା ବାଧ୍ୟତା ମୂଳକ କରାଯାଇଛି । ମାସ୍କ ପରିଧାନ ନ କଲେ ଦଣ୍ଡର ବି ବ୍ୟବସ୍ଥା କରାଯାଇଛି । କିନ୍ତୁ ନେଦରଲ୍ୟାଣ୍ଡର କିଛି ଗବେଷକ ଏବେ ଦାବି କରିଛନ୍ତି ଯେ ଜଣେ ବ୍ୟକ୍ତି ମାସ୍କ ପରିଧାନ କଲେ ବି କରୋନା ଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା ପାଇପାରିବ ନାହିଁ । ପ୍ରାୟ ୬ ହଜାର ପ୍ରାପ୍ତ ବୟସ୍କ ନାଗରିକଙ୍କ ଉପରେ ଅଧ୍ୟୟନ କରି ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । କୋପେନହେଗେନ ୟୁନିଭରସିଟି ହସ୍ପିଟାଲର ଗବେଷକମାନେ ଗତ ଏପି୍ରଲ ଏବଂ ମେ ମାସରେ ଏହି ଅଧ୍ୟୟନ କରିଥିଲେ । ସେତେବେଳେ ନେଦରଲ୍ୟଣ୍ଡରେ ମାତ୍ର ୨% ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ଏବଂ ସେଠାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇନଥିଲା । ଗବେଷକମାନେ ୬ ହଜାର ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରିଦେଇଥିଲେ । ଗୋଟିଏ ଦଳକୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଥିଲା । ଅନ୍ୟ ଦଳକୁ ମାସ୍କ ବ୍ୟବହାର ନ କରି ସର୍ବସାଧାରଣ ସ୍ଥାନରେ ବିଚରଣ କରିବାକୁ ପରାମର୍ଶ ଦିଆଯାଇଥିଲା । ମାସକ ପରେ ଦେଖାଗଲା ଯେ ମାସ୍କ ପିନ୍ଧିଥିବା ବ୍ୟକ୍ତିମାନଙ୍କ ଭିତରୁ ୧.୮% ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ମାସ୍କ ପରିଧାନ କରିନଥିବା ଲୋକଙ୍କ ଭିତରୁ ୨.୧% କାରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ମାସ୍କ ପରିଧାନ କଲେ ଜଣେ କରୋନାରୁ ରକ୍ଷା ପାଇବ ବୋଲି ଥିବା ଧାରଣା ଭୁଲ ପ୍ରମାଣିତ ହୋଇଛି । ପୂର୍ବରୁ ବି କିଛି ଗବେଷକ ଦାବି କରିଥିଲେ ଯେ ମାସ୍କ ଜଣକୁ କରୋନାରୁ ସମ୍ପୂର୍ଣ୍ଣ ଭାବେ ରକ୍ଷା କରିପାରିବ ନାହିଁ । ଏହା ବ୍ୟବହାରକୁ କେବଳ ସୀମିତ ମାତ୍ରାରେ ସୁରକ୍ଷା ପ୍ରଦାନ କରିଥାଏ ।