ମହଙ୍ଗା ହେଲା ମଦ

ମହଙ୍ଗା ହେଲା ମଦ

ମହଙ୍ଗା ହେଲା ମଦ
ଭୁବନେଶ୍ୱର: ଏଣିକି ମଦ କିଣିବେ ତ, ଅଧିକ ଟଙ୍କା ଦେବାକୁ ପଡ଼ିବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ନୂତନ ଅବକାରୀ ନୀତିରେ ଠିପି ବନ୍ଦ ବିଦେଶୀ, ଦେଶୀ ଓ ମହୁଲ ମଦ ଦୋକାନ ଲାଇସେନ୍ସ ନବୀକରଣ ଫି ବୃଦ୍ଧି କରାଯାଇଛି । ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନ ଲାଇସେନ୍ସ ନବୀକରଣ ଫି ବାବଦରେ ଅତିରିକ୍ତ ୧୦% ଏବଂ ମହୁଲ ମଦ ଦୋକାନ ଲାଇସେନ୍ସ ଫି ରେ ୧୫% ବୃଦ୍ଧି କରାଯାଇଛି । ବିଦେଶୀ ମଦ ଉପରେ ଏମଜିକ୍ୟୁ ବା ସର୍ବନିମ୍ନ କୋଟା ଉଠାଣକୁ ବୃଦ୍ଧି କରାଯାଇ ନଥିବା ବେଳେ ଦେଶୀ ମଦର ଏମଜିକ୍ୟୁକୁ ହ୍ରାସ କରାଯାଇଛି । ପ୍ରତିବର୍ଷ ମାର୍ଚ୍ଚ ମାସରେ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅବକାରୀ ନୀତି ଘୋଷଣା କରିଥାନ୍ତି । ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏକ ୩ ମାସିଆ କାମଚଳା ଅବକାରୀ ନୀତି ଆଣିଛନ୍ତି । ଗତବର୍ଷ ମାର୍ଚ୍ଚ ୭ ତାରିଖ ଓ ଜୁଲାଇ ୨୬ ତାରିଖରେ ଅବକାରୀ ବିଭାଗ ପ୍ରକାଶ କରିଥିବା ନୀତିରେ ଲାଇସେନ୍ସ ଫି ବାବଦରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଏହି କାମଚଳା ଅବକାରୀ ନୀତି ପ୍ରସ୍ତୁତ କରାଯାଇଥିବା ବିଭାଗ ପ୍ରକାଶ କରିଛି ।