ମନେପଡ଼ିଲା ଦରବୃଦ୍ଧି, ରାସ୍ତାକୁ ଓହ୍ଲାଇବ ବିଜେଡି
ମନେପଡ଼ିଲା ଦରବୃଦ୍ଧି, ରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ପେଟ୍ରୋଲ ଲିଟର ୧୧୦ ଟଙ୍କା ଉପରେ । ରନ୍ଧନ ଗ୍ୟାସ ସିଲିଣ୍ଡର ୯୨୬ ଟଙ୍କା । ଦିନକରେ ଏ ଦର ବଢ଼ିଯାଇଛି । ଗତ କିଛି ମାସ ହେବ ଲଗାତାର ଭାବେ ଦର ବଢ଼ି ଚାଲିଛି । ହେଲେ ବିଜେଡିକୁ ଏବେ ଦିଶିଲା । ଦଳ ନିଷ୍ପତ୍ତି ନେଇଛି, ଏବେ ତୈଳ ଦର ଓ ଗ୍ୟାସ ସିଲିଣ୍ଡର ବୃଦ୍ଧିର ପ୍ରତିବାଦ ପାଇଁ ରାସ୍ତାକୁ ଓହ୍ଲାଇବ। ଆସନ୍ତାକାଲି (ରବିବାର) ରାଜଭବନ ଆଗରେ ଧାରଣା ଦେବ । ନଭେମ୍ବର ୧ରେ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ବିକ୍ଷୋଭ କରିବ। ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।
ଅପରପକ୍ଷରେ ବିଜେଡିର ଏହି ଆନେ୍ଦାଳନ ନିଷ୍ପତ୍ତିକୁ ବିରୋଧୀ ନାଟକବାଜି ବୋଲି କହିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସରକାର ଅପଦସ୍ଥ ହେବା ସହ ବିରୋଧୀଙ୍କ ଟାର୍ଗେଟରେ ଥିବାବେଳେ ଏହି ଘଟଣାରୁ ନଜର ହଟାଇବା ପାଇଁ ବିଜେଡି ଆନେ୍ଦାଳନ ରଣନୀତି ଆପଣାଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି।
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି, କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ରନ୍ଧନ ଗ୍ୟାସ୍ ଦର ହଜାରେ ଟଙ୍କା ପାଖାପାଖି ରହିଛି । ଏହା ମଧ୍ୟବିତ୍ତଙ୍ଗ ଲାଗି ବୋଝ ଉପରେ ନଳିତା ବିଡ଼ା । ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ବଜେଡି। ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ ଟଙ୍କା ବଢ଼ିଛି ଗ୍ୟାସ୍ ଦର । ଖାଲି ଗ୍ୟାସ୍ ନୁହେଁ ପେଟ୍ରୋଲ ଓ ଡିଜେଲ୍ ଦର ସବୁଦିନ ବଢ଼ି ବଢ଼ି ଚାଲିଛି ।
୨୦୧୯ରେ ଦ୍ୱିତୀୟ ଥର ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ୨ ବର୍ଷ ଭିତରେ ତୈଳଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ି ସବୁଦର ବଢ଼ିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୪୦ରୁ ଶହେ ପ୍ରତିଶତ ବଢ଼ିଛି ।
ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ୍ ଭାବରେ ହେଉନି । ବିଜେପି ବିକାଶ କଥା କହୁଛି, ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି । ଲୋକେ ଡାଲି ଟିକିଏ, ତେଲ ଟିକିଏ ପାଉନାହିଁ ଖାଇବା ପାଇଁ । ଲୋକଙ୍କ ପେଟକୁ ଯଦି ଦାନା ନାହିଁ ତାହେଲେ ବିକାଶ କେମିତି ହେଉଛି ? ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ବିଭିନ୍ନ କାର୍ୟ୍ୟକ୍ରମ ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାୟୀ ନାୟକ କହିଛନ୍ତି ।




admin 