ମନ ବଦଳାଇଲେ ଦିଲ୍ଲୀପ ରାୟ
ମନ ବଦଳାଇଲେ ଦିଲ୍ଲୀପ ରାୟ
admin
Apr 11, 2019 - 02:33
Updated: Apr 11, 2019 - 02:33
ଭୁବନେଶ୍ୱର : ଆଇଜିଏଚ ସୁପର ସ୍ପେଶିଆଲିଷ୍ଟ ହସପିଟାଲ ଓ ମେଡ଼ିକାଲ କଲେଜ ଏବଂ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଦାବି କେନ୍ଦ୍ର ସରକାର ପୂରଣ କରିନାହାନ୍ତି । ପ୍ରତିଶ୍ରୁତି ଦେଇ କଥା ରଖିନାହାନ୍ତି । ଏମିତି ଭାବେ ଦିଲ୍ଲୀପ ରାୟ ଓ ତାଙ୍କ ସମର୍ଥକମାନେ କ୍ଷୋଭ ପ୍ରକାଶ କରିଥିଲେ । ଧୋକା ଦେଇଥିବା ଦଳକୁ ଭୋଟ ନଦେବାକୁ ମଧ୍ୟ ଦିଲ୍ଲୀପଙ୍କ ସମର୍ଥକମାନେ ଆହ୍ୱାନ ଦେଇଥିଲେ । ଖାଲି ସେତିକିନୁହେଁ, ତାଙ୍କ ନାମରେ ସିବିଆଇ ମାମଲା କରାଇ ଡରାଇବାକୁ ଚାହୁଁଛନ୍ତି । ହେଲେ ସେ ଡରି ଚାମଚା ଗିରି କରିବା ଲୋକ ନୁହେଁ । ଏଭଳି କହି ଦିଲୀପ ବିଜେପି ନେତୃମଣ୍ଡଳୀଙ୍କୁ କଡ଼ା ଚେତାବନୀ ଦେବାକୁ ବି ପଛେଇ ନଥିଲେ । ଫଳରେ ଆଗାମୀ ସାଧାରଣ ନିର୍ବାଚନରେ ଦିଲୀପ ବିଜେପିକୁ ହରାଇବା ପାଇଁ ସଂକଳ୍ପବଦ୍ଧ ଥିବା ବାର୍ତା ଯାଇଥିଲା । ରାଉରକେଲାର ବିଜେଡ଼ି ପ୍ରାର୍ଥୀ ସାରଦା ନାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ ବି ରାଜ୍ୟ ରାଜନୀତିକ ମାହୋଲରେ ଭିନ୍ନ ବାର୍ତା ଦେଇଥିଲା । ଏସବୁ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ହଠାତ ଦିଲ୍ଲୀପଙ୍କ ଏକ ପ୍ରେସବିଜ୍ଞପ୍ତି ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ଦିଲ୍ଲୀପ ଏବେ ବିଦେଶରେ ଅଛନ୍ତି । ହେଲେ ତାଙ୍କ ଦସ୍ତଖତ ଥିବା ଏକ ପ୍ରେସ ବିଜ୍ଞପ୍ତି ଗଣମାଧ୍ୟମକୁ ଦିଆଯାଇଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ସୁପର ସ୍ପେଶିଆଲିଷ୍ଟ ହସପିଟାଲ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସେଲକୁ ୧୦୫.୭୫ କୋଟି ଟଙ୍କା ଦିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଦିଲ୍ଲୀପ ତାଙ୍କ ପ୍ରେସ ବିଜ୍ଞପ୍ତିରେ ଉଲ୍ଳେଖ କରିଛନ୍ତିଯେ, ୨୦୧୯ ଫେବୃଆରୀ ୨୧ରେ ସୁପର ସ୍ପେଶିଆଲିଷ୍ଟ ହସପିଟାଲ ପାଇଁ ଏସବିଆଇ ଜରିଆରେ ୧୦୫.୭୫ କୋଟି ଟଙ୍କା କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସେଲକୁ ହସ୍ତାନ୍ତରିତ କରିଛି । ଫଳରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଭଲ ଦିନ ଆଶା କରାଯାଇପାରେ ବୋଲି ସେ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଏଇ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।