ମଣ୍ଡଳ ସଭାପତିଙ୍କୁ ଅପରାଜିତାଙ୍କ ଅଣଦେଖା

ମଣ୍ଡଳ ସଭାପତିଙ୍କୁ ଅପରାଜିତାଙ୍କ ଅଣଦେଖା

ମଣ୍ଡଳ ସଭାପତିଙ୍କୁ ଅପରାଜିତାଙ୍କ ଅଣଦେଖା

ଭୁବନେଶ୍ୱର : ମଣ୍ଡଳ ସଭାପତିଙ୍କୁ ବିଜେପିର ଆତ୍ମା ବୋଲି କୁହାଯାଏ  । ଅନ୍ୟ ଦଳ ଭଳି ମଣ୍ଡଳ ସଭାପତିମାନେ କାହାର ସୁପାରିଶରେ ନୁହେଁ, ବରଂ କାର୍ଯ୍ୟକର୍ତାମାନଙ୍କ ସାମୂହିକ ମତାମତ ନେଇ ନିର୍ବାଚିତ ହୋଇଥା’ନ୍ତି  । ବିଜେପିର ପ୍ରତ୍ୟେକ ଦଳୀୟ କାର୍ଯ୍ୟକ୍ରମ ମଣ୍ଡଳ ସଭାପତିମାନଙ୍କ କାନ୍ଧରେ ହିଁ ନ୍ୟସ୍ତ କରାଯାଇଥାଏ  । କିନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଣ୍ଡଳ ସଭାପତିମାନଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ବିଜେପିର ତୃଣମୂଳସ୍ତରୀୟ ନେତୃବୃନ୍ଧ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

ନିକଟରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଡା ଲୋକନାଥ ପୀଠ ଠାରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ  । ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଏହା ଥିଲା ଏକ ପ୍ରସ୍ତୁତି ବୈଠକ  । ପଂଚାୟତରେ ସରଂପଚ, ସମିତିସଭ୍ୟ ପ୍ରାର୍ଥୀ ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ନେଇ ବୈଠକରେ ଆଲୋଚନା ହୋଇଥିଲା  । କିନ୍ତୁ ଉକ୍ତ ବୈଠକରେ ମଣ୍ଡଳ ସଭାପତିମାନଙ୍କୁ ଯେତିକି ଗୁରୁତ୍ୱ ଦିଆଯିବା କଥା ସେତିକି ଗୁରୁତ୍ୱ ମିଳିନଥିବା ଦେଖିବାକୁ ମିଳିଥିଲା  । ଏମିତିକି ମଣ୍ଡଳ ସଭାପତିମାନଙ୍କୁ ଅଣଦେଖା କରାଯିବା ସହ ଅନ୍ୟ ଲୋକଙ୍କୁ ମଂଚରେ ବସିବାକୁ ସୁଯୋଗ ଦିଆଯାଇଥିଲା  । ଯାହାକୁ ନେଇ ବିଭିନ୍ନ ମଣ୍ଡଳର ସଭାପତିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଖୋଲାଖୋଲି ଭାବେ ଅପରାଜିତାଙ୍କୁ ସମାଲୋଚନା କରିବାକୁ ବି ପଛାଇ ନଥିଲେ  ।

ଜଣେ ମଣ୍ଡଳ ସଭାପତି ନିଜ ନାମ ଗୋପନ ରଖି କହିଛନ୍ତିଯେ, ସାଂସଦ ଭାବେ ଅପରାଜିତା ଷଡଙ୍ଗୀ ଜିତିବା ପରେ ବିଜେପି ଆହୁରି ମଜବୁତ ହେବବୋଲି ଆଶା କରାଯାଉଥିଲା  । ସାଂସଦ ବି ଘନଘନ ନିର୍ବାଚନମଣ୍ଡଳୀ ଗସ୍ତ କରୁଥିବାରୁ ଆଗାମୀ ପଂଚାୟତ ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆମେ ମନେ କରୁଥିଲୁ  । ସେଥିପାଇଁ ଆମେ ଦଳର ସାଂଗଠନିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ବିଜେଡ଼ି ଓ କଂଗ୍ରେସ ନେତାଙ୍କୁ ଟକ୍କର ଦେଉଥିଲୁ  । କିନ୍ତୁ ପରବର୍ତୀ ସମୟରେ ମଣ୍ଡଳ ସଭାପତିମାନଙ୍କୁ ଅଣଦେଖା କରାଯାଇ ଅନ୍ୟ ଦଳର ନେତାମାନଙ୍କୁ ସାଂସଦ ମ୍ୟାଡ଼ାମ ଗୁରୁତ୍ୱ ଦେଇ ଆସୁଛନ୍ତି  । ଏନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ବି ଅବଗତ କରାଯାଇଛି । ଯଦି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସାଂସଦଙ୍କ ମନମାନି ବିରୋଧରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି  ।