ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ହେବ

ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ହେବ

 ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ହେବ

ଭୁବନେଶ୍ୱର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି, ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ବିଭିନ୍ନ ସମୟରେ ବିଭିନ୍ନ କାରଣରୁ  ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି । ଏହିସବୁ ପୋଲିସ ଷ୍ଟେସନରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ। ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ରହିବ। ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ। ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ। ଏହାସହିତ ଶିଶୁ ଅଧିକାର ସଂପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’ ସେ ସଂପର୍କରେ ସୂଚନା ଫଳକ ରହିବ। ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସଂପର୍କରେ ଏକ ସ୍ବତନ୍ତ୍ର ଫଳକ ରହିବ। ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟ ଏଡ କିଟ୍ସ ରହିବ। ଥାନା ପରିସରରେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ।ସାଧାରଣ ଥାନା ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ାଯିବା ଦ୍ବାରା  ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବା ରେ ସହାୟକ ହେବ ବୋଲି ଆଶା କରାଯାଏ ।