ନେତା ବାଛିବେ ଅମିତ ଶାହ : ବିଧାୟକମାନେ ବାଛିପାରିଲେନି
ନେତା ବାଛିବେ ଅମିତ ଶାହ : ବିଧାୟକମାନେ ବାଛିପାରିଲେନି
admin
Jun 24, 2019 - 12:11
Updated: Jun 24, 2019 - 12:11
ଭୁବନେଶ୍ୱର : ବିରୋଧୀ ଦଳ ନେତା କିଏ ହେବ? ତାହାକୁ ନେଇ କଳ୍ପନା ଜଳ୍ପନା ପୁଣି ଲାଗି ରହିଲା । ନେତା ବାଛିବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ, ପ୍ରଭାରୀ, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକମାନେ ଆଜି ଏକାଠି ହୋଇଥିଲେ । କିନ୍ତୁ ନେତା ଚୟନ କରିପାରି ନଥିଲେ । ଶେଷରେ ନେତା ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଛାଡ଼ି ଦିଆଗଲା । ଶ୍ରୀ ଶାହ ଯେଉଁ ନାମରେ ମୋହର ମାରିବେ, ତାହାକୁ ସମସ୍ତେ ମାନି ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ୨୫ ତାରିଖରେ ବିଧାନସଭା ଅଧିବେଶନ ପୂର୍ବରୁ ନାମ ଘୋଷଣା ହେବ ବୋଲି ସୂଚନା ମିଳିଛି ।
ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଡକାଯାଇଥିଲା । ସମସ୍ତ ବିଧାୟକ ଏଥିରେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସାଂସଦ ସରୋଜ ପାଣ୍ଡେ, ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠକ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
କିନ୍ତୁ ବୈଠକରେ କାହାରି ନାମ ବିରୋଧୀ ଦଳ ନେତା ପଦବି ପାଇଁ ଆଲୋଚନାକୁ ଆସି ନଥିଲା । କୌଣସି ବରିଷ୍ଠ ନେତା କିମ୍ବା ରାଜ୍ୟ ସଭାପତି କାହା ନାମକୁ ନିର୍ଦ୍ଦିଷ୍ଟ ଭାବେ ଉଠାଇ ନଥିଲେ । କୁହାଯାଉଥିଲା ବିଜେପି ଏକ ରାଷ୍ଟ୍ରୀୟ ଦଳ । ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ନେତା ଚୟନ ଦାୟିତ୍ୱ ଛାଡ଼ି ଦିଆଯାଉ । ସମସ୍ତେ ଏହାକୁ ସମର୍ଥନ କରିଥିଲେ । ଶେଷରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା ।
ବୈଠକ ପରେ ବିଧାୟକ ବିଷ୍ଣୁ ସେଠୀ ଗଣମାଧ୍ୟମକୁ କହିଥିଲେ, ବିଜେପି ପକ୍ଷରୁ ଜଣେ ଚଳଚଞ୍ଚଳ, ଦକ୍ଷ ଓ ସକ୍ଷମ ନେତୃତ୍ୱକୁ ବିଧାୟକ ଦଳ ନେତା ଭାବେ ଦାୟିତ୍ୱ ଦିଆଯିବ । ବିଧାୟକ ଦଳ ନେତା ଆଗାମୀ ଦିନରେ ବିଧାନସଭାରେ ବିରୋଧୀ ଦଳର ନେତା ଭୂମିକା ନେବେ । ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିକୁ ଓଡ଼ିଶାବାସୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ଦଳ ସୁଚାରୁ ରୂପେ ତୁଲାଇବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିନେ ଦୁଇ ଦିନ ଭିତରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା କରିବେ ।
ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଇଛି । ତେଣୁ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମିଳିବ । ଏହି ପଦବି ପାଇଁ ଏବେ ତିନି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ଓ କେନ୍ଦୁଝର ବିଧାୟକ ମୋହନ ମାଝୀ, ବିଧାୟକ ବିଷ୍ଣୁ ସେଠୀ ଅଛନ୍ତି । ଏହି ଚାରି ଜଣଙ୍କ ସପକ୍ଷରେ ଭିନ୍ନ ଭିନ୍ନ ଗୋଷ୍ଠୀ ଲବି ଚଳାଇଛନ୍ତି । ଯଦି ଓ ଶ୍ରୀ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି ତେବେ କୌଣସି ନା କୌଣସି କାରଣରୁ ତାଙ୍କ ନାମରେ ସହମତି ହୋଇପାରିନି ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଛାଡ଼ି ଦିଆଯାଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ୨୫ ତାରିଖରେ ବିଜେପି ବିଧାୟକମାନେ ଗୃହକୁ ପ୍ରବେଶ କରିବା ପୂର୍ବରୁ ନେତାଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି ।