ଭୋଟ ଦିନ ପ୍ରଚଣ୍ଡ ଖରା
ଭୋଟ ଦିନ ପ୍ରଚଣ୍ଡ ଖରା
ଭୁବନେଶ୍ୱର: ଗରମ ବଢ଼ିବାରେ ଲାଗିଛି । ୨୪ ତାରିଖରୁ ଖରା ପ୍ରକୋପ ଆହୁରି ଭୋଟ । ଅର୍ଥାତ୍ ପୌର ଭୋଟ ଦିନ (୨୪ ତାରିଖ) ପ୍ରଚଣ୍ଡ ଖରା ହୋଇପାରେ । ପାଣିପାଗ ବିଭାଗ ବୈଜ୍ଞାନିକଙ୍କ ପୂର୍ବାନୁମାନ ମୁତାବକ, ରାଜ୍ୟରେ ବର୍ତ୍ତମାନ ଗରମ ପ୍ରକୋପ ଚାଲିବ । ଏବେ ଗରମ କମିଲା ଭଳି ସମ୍ଭାବନା ପରିଲକ୍ଷିତ ହେଉନାହିଁ । ତାପମାତ୍ରା ଯେତିକି ଅଛି, ବିଶେଷ ପରିବର୍ତ୍ତନ ହୋଇନପାରେ । ମାତ୍ର ଆସନ୍ତା ୨୪ରୁ ଗରମ ପ୍ରକୋପ ଅସମ୍ଭାଳ ହେବ । କାରଣ ସେତେବେଳେ ତାପମାତ୍ରା ଏବେ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଏମିତି ହେଲେ ଭୁବନେଶ୍ୱର, କଟକ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ଆସନ୍ତା ୨୪-୨୫ ତାରିଖବେଳକୁ । ଅନ୍ୟପକ୍ଷରେ ଟିଟିଲାଗଡ଼ ଓ ବଲାଙ୍ଗିର ଭଳି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ୪୪ ଡିଗ୍ରୀ ପାଖାପାଖି ଛୁଇଁପାରେ ।
ରବିବାର ରାଜ୍ୟର ୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୧.୧ ଡିଗ୍ରୀ ଓ ବଲାଙ୍ଗିର ତାପମାତ୍ରା ୪୧ ଛୁଇଁଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଥିଲା । ବଡ଼ କଥା ହେଲା, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହୋଇ ଅବପାତ (ଡିପ୍ରେସନ୍) ରୂପ ନେଇସାରିଛି । ଏହା ବାତ୍ୟା ରୂପ ନେବ ସତ, ମାତ୍ର ଭାରତରେ ଏହାର ପ୍ରଭାବ ପଡ଼ିବନି । ଓଡ଼ିଶାରେ ବି କିଛି ପ୍ରଭାବ ପଡ଼ିବନି । ହେଲେ ଆସନ୍ତା ୨-୩ଦିନ ଭିତରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ । ହେଲେ ୨୪ରୁ ଗରମ ବଢ଼ିବା ସମ୍ଭାବନା ଅଛି ।




admin 