ଭାଇରାଲ ପଖାଳ
ଭାଇରାଲ ପଖାଳ
ଭୁବନେଶ୍ୱର: ନେତା, ମନ୍ତ୍ରୀ ହୁଅନ୍ତୁ ଅବା ସାଧାରଣ ମଣିଷ । ସବୁ ଆଜି ପଖାଳ ପ୍ରେମ ଦେଖାଇଲେ । ଯିଏ ପଖାଳ ଖାଇଲା, ସିଏ ଫଟୋ ଛାଡ଼ିଲା ସୋସିଆଲ ମିଡିଆରେ । ଏ କ୍ରମରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଖାଳ ଖିଆ ଭିଡିଓ ବେଶ ଭାଇରାଲ ହୋଇଛି । ପଖାଳ ସାଙ୍ଗକୁ ଆଳୁ ଭଜା, ଚୁନା ମାଛ ଭଜାକୁ ବେଶ୍ ମନଭରି ଖାଇଛନ୍ତି ନବୀନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନିଜ ଟ୍ୱିଟର ଜରିଆରେ ପଖାଳ କଂସା ଧରି ଖାଇ ବସିବା ଫଟୋକୁ ଛାଡ଼ିଛନ୍ତି । ଖାଲି ସେତିକି ନୁହେଁ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନିଜ ପତ୍ନୀ, ସାନପୁଅ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ନିଜ ଭୁବନେଶ୍ୱର ଘରେ ପଖାଳ ଖାଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା ବି ଆଜି ପଖାଳ ଖାଇବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଆଜି ପଖାଳ ଏମିତି ବାୟା କଲା ଯେ ଭୁବନେଶ୍ୱର ସମେତ ବିଭିନ୍ନ ମହାନଗର ନିଗମ ଓ ମୁ୍ୟନିସିପାଲିଟି ଏବଂ ଏନଏସିରେ ପ୍ରାର୍ଥୀମାନେ ବି ଦଳୀୟ କର୍ମୀ, ସମର୍ଥକ ଏବଂ ମତଦାତାଙ୍କ ସହ ପଖାଳର ମଜା ଉଠାଇଛନ୍ତି । ଖରା ପାଗରେ ପଖାଳ ଖାଇ ପ୍ରଚାରରେ ମାତିଛନ୍ତି ।
ମାର୍ଚ୍ଚ ୨୦ ହେଉଛି ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ-ପଖାଳ । କେଉଁ କାଳରୁ ଓଡ଼ିଆମାନେ ପଖାଳକୁ ନିଜର ପ୍ରିୟ ଖାଦ୍ୟ ବା ପରିଚୟ ବନାଇ ଦେଇଛନ୍ତି । ଓଡ଼ିଆ ବିଶ୍ୱର ଯେଉଁ କୋଣ ଅନୁକୋଣରେ ଥିଲେ ବି ପଖାଳକୁ ଭୁଲିପାରିନେି । ଦହି ପଖାଳକୁ ବଡ଼ି ଚୁରା, ଆଳୁ ଚଟଣି... ଆଉ ଯଦି ମାଛ ଭଜା..., ବାସ୍ ଜମିଗଲା । କଂସାଏ ପଖାଳ ଉଠିଯିବ । ପଖାଳର ସବୁଠୁ ଟେଷ୍ଟି ହେଲା- ତୋରାଣି । ଖରାଦିନେ ପଖାଳ ତୋରାଣି ପିଇ ଦେଲେ ପେଟ ଏକଦମ ଥଣ୍ଡା । ନୋ ଟେନସନ । ନିଦ କୁଆଡେ଼ ଗୋଡ଼ଇ ଆସିବ ଆଖିକୁ । ବଡ଼ବଡ଼ିଆ ହେଉ କି ଗରିବ, ସଭିଙ୍କ ଘରେ ପଖାଳର ଡିମାଣ୍ଡ ରହିଛି । ବଡ଼ବଡ଼ିଆ ସିନା ଭଳିକି ଭଳି ତିଅଣ କରି ପଖାଳର ମଜା ନିଅନ୍ତି, ଆମ ଓଡ଼ିଶାର ପ୍ରାୟତଃ ଚାଷୀ, ମୂଲିଆଙ୍କ ନିତିଦିନିଆ ଖାଦ୍ୟ ପଖାଳ । ପଖାଳକୁ କିଛି ନଥିଲେ ବି ପିଆଜ ଖଣ୍ଡେରେ କଂସାଏ ପଖାଳ ଭିଡ଼ି ହୋଇଯିବ । ସେଇଥିପାଇଁ ତ ଓଡ଼ିଆଙ୍କ ପ୍ରିୟ ପଖାଳ । ନା ଖର୍ଚ୍ଚ ବେଶି ନା ଦାମ୍, ହେଲେ ପଖାଳ ଭଳି ଶାନ୍ତି କୌଣସି ଖାଦ୍ୟରେ ନଥାଏ ।
ଆଜିକାଲି ଫାଷ୍ଟଫୁଡ ଜମାନାରେ ବି ପଖାଳର ସ୍ୱତନ୍ତ୍ର ଚାହିଦା ରହିଛି । ସେଥିପାଇଁ ଅନେକ ନାମୀଦାମୀ ରେଷ୍ଟୁରାଣ୍ଟ ବି ନିଜ ଖାଦ୍ୟ ମେନୁ୍ୟରେ ପଖାଳକୁ ଯୋଡ଼ିଛନ୍ତି । ସେ ପୁଣି ଭିନ୍ନ ଭିନ୍ନ ତରିକାରେ ପ୍ରସ୍ତୁତ ପଖାଳ । ପଖାଳ ସାଙ୍ଗକୁ କେଉଁଠି ଚିଙ୍ଗୁଡ଼ି ଛେଚା ତ ଆଉ କୌଣସି ପୋହଳା ମାଛ କିମ୍ବା ଚୁନା ମାଛ ଭଜା । କେଉଁଠି ପଖାଳ ସାଙ୍ଗକୁ ବଡ଼ି ଚୂରା, କଖାରୁ ଫୁଲ ବରାକୁ ନଡ଼ିଆ/ଆମ୍ବ ଚଟଣି ପୁଣି ଆଉ କୌଣସି ସ୍ଥାନରେ ପଖାଳକୁ ମଟନ କଷା କିମ୍ବା ଚିକେନ କଷା । ନିରାମିଷ ହେଉ କି ଆମିଷ, ଓଡ଼ିଆ ପୁଅର ପଖାଳ କଂସା ଲୋଭ ସବୁବେଳେ ରହିଥିଲା, ରହିଛି ଆଉ ରହିଥିବ ।




admin 