ମାଲକାନଗିରିକୁ ବିପଦ ପୋଲାଭରମ୍

ମାଲକାନଗିରିକୁ ବିପଦ ପୋଲାଭରମ୍

ମାଲକାନଗିରିକୁ ବିପଦ ପୋଲାଭରମ୍
ମାଲକାନଗିରି: ଆନ୍ଧ୍ରପ୍ରଦେଶର ଏସିଆ ମହାଦେଶର ସର୍ବବୃହତ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ମାଲକାନଗିରି ଜିଲ୍ଲା ପାଇଁ ବିପଦ ସୃଷ୍ଟି କରି ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଗତ ୧୦ ଦିନ ଧରି ମାଲକାନ ଗିରି ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ପୋଲର ଉଚ୍ଚତା ବୃଦ୍ଧି ନ ହେବା ଯୋଗୁଁ ଗୋଦାବରୀ ନଦୀର ତଳି ଅଞ୍ଚଳ ଓ ପଛୁଆ ପାଣି ଗୁଡ଼ିକ ସାବେରୀ ଓ ଚିନା ଗୋଦାବରୀରେ ପସି ମୋଟୁ ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆଲମା, ପେଟା, ବିନାୟକପୁର, ବାରିବାଞ୍ଛା ପ୍ରଭୃତି ପଞ୍ଚାୟତ ମଧ୍ୟକୁ ଗତକାଲି ରାତ୍ରି ପ୍ରବଳ ବର୍ଷା ଫଳରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ମୋଟୁ, ମୁଗି ପଏଣ୍ଟ ମଧ୍ୟରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ମାଲକାନଗିରି ଜିଲ୍ଲାରେ ପୋଲାଭରମ ପ୍ରକଳ୍ପ ଦ୍ୱାରା ୨୦ ଭାଗ ଜଳମଗ୍ନ ହୋଇ ଖଣିଜ, ବନଜ ଏବଂ ସ୍ଥାନୀୟ ଲୋକଙ୍କ ଜମି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ତିନୋଟି ପଞ୍ଚାୟତର ଲୋକ ବାସଚ୍ୟୁତ ହେବେ ବୋଲି ବିଭିନ୍ନ ସମୟରେ ମୋଟରେ ସୀମାନ୍ତ ସାବେରୀ ନଦୀରେ ଜଳ ସତ୍ୟାଗ୍ରହ, ରାଲି, ଧାରଣା କରି ଆସୁଥିଲେ ମଧ୍ୟ ଏହି ପ୍ରକଳ୍ପ ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଓଡ଼ିଶା ସରକାର ଏହି ପ୍ରକଳ୍ପ ବନ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରକଳ୍ପ ପାଇଁ ଅର୍ଥ ଓ ପ୍ରୋତ୍ସାହନ ଯୋଗାଉଛନ୍ତି । ରାଜ୍ୟ ସରକାର ବହୁ ପୂର୍ବରୁ ଚେଷ୍ଟା କରିଥିଲେ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ସହ ବ୍ୟାରେଜ ଭିିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଥାନ୍ତା । ସୀମାନ୍ତ ଛତିଶଗଡ଼, ସାବେରୀ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ସିଲେରୁ ନଦୀର ସଂଗମ ସ୍ଥଳ ଓଡ଼ିଶାର ମୋଟୁରେ ମିଳିତ ହୋଇ ଚିନା ଗୋଦାବରୀ ବୋଲି ନ କହି ଗୋଦାବରୀ ନଦୀ ମଧ୍ୟ କହୁଛନ୍ତି । ଚିନା ଗୋଦାବରୀ ଉପରେ ନିର୍ମିତ ହେବ ପୋଲାଭରମ ପ୍ରକଳ୍ପ । କୋରାପୁଟ ଜିଲ୍ଲାରୁ ସାବେରୀ ନଦୀ ବାହାରି ଛତିଶଗଡ଼ ସୀମାନ୍ତ ଦେଇ ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେଉଛି । ସାବେରୀ ନଦୀରେ ମାଲକାନ ଗିରି ଜିଲ୍ଲାର ପ୍ରମୁଖ ସପ୍ତଧାରା, ପାଙ୍ଗାମ, ପୋଟେରୁ ନଦୀ ଭଳି ବହୁ ଛୋଟବଡ଼ ନଦୀ ମିଳିତ ହୋଇଛି । ସେହିପରି ଆନ୍ଧ୍ରସୀମାନ୍ତ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ସିଲେରୁ ନଦୀର ସୃଷ୍ଟି । ତେବେ ବର୍ଷା ଋତୁରେ ଏହି ସବୁ ନଦୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରିରେ ବନ୍ୟା ପରିସ୍ଥିତି ପାଇଁ ପୋଲାଭରମ ପ୍ରକଳ୍ପ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଗୋଦାବରୀ ନଦୀର ଜଳ ଏହି ନଦୀରେ ପ୍ରବେଶ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର କେବେ ଏଥିପ୍ରତି ଦୃଷ୍ଟି ଦେଇ ମାଲକାନଗିରି ଜିଲ୍ଲାବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।