ବିଧାୟକଙ୍କ ଗିରଫ ବିରୋଧରେ ଦେବଗଡ଼ ବନ୍ଦ

ବିଧାୟକଙ୍କ ଗିରଫ ବିରୋଧରେ ଦେବଗଡ଼ ବନ୍ଦ

ବିଧାୟକଙ୍କ ଗିରଫ ବିରୋଧରେ ଦେବଗଡ଼ ବନ୍ଦ

ଦେବଗଡ଼: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ନେଇ ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗିରଫଦାରୀ ପ୍ରତିବାଦରେ ତଥା ତିଲେଇବଣି ବିଡିଓଙ୍କ ଗିରଫଦାରୀ ଦାବି କରି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

ବିଜେପି କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରୁଛନ୍ତି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। କେବଳ ପରୀକ୍ଷା ଦେଇ ଯାଉଥିବା ଛାତ୍ରଛାତ୍ରୀଙ୍କ ଗାଡି ଏବଂ ଜରୁରୀକାଳୀନ ସେବାକୁ ଏଥରୁ ବାଦ ଦିଆଯାଇଛି । କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ ବିଜେପି କର୍ମୀଙ୍କ ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

ଏପଟେ କିଛି ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ୟ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ଅଧିକାରୀ ନିଜ କାର୍ୟ୍ୟଶୈଳୀକୁ ନ ସୁଧାରି ବିରୋଧୀ ଦଳ ନେତାଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ବିପଦ ବୋଲି ମଧ୍ୟ ସେ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ନିଜ ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି, ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଓଡ଼ିଶାରେ ଆଇନର ଶାସନ ଚାଲିଛି । ଏପରିକି ବିଜେଡି ବିଧାୟକଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଠାନ ହୋଇଛି । ସୁବାସ ବିଜେପି ବିଧାୟକ ବୋଲି ସେ କଣ ଆଇନରୁ ଊର୍ଦ୍ଧ୍ୱରେ କି ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଏପଟେ କଂଗ୍ରେସ ପକ୍ଷରୁ ମଧ୍ୟ ବିଧାୟକଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି। 

ତିଳେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ୨ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ୍।  ଗତକାଲି ତାଙ୍କୁ ସ୍ଥାନୀୟ ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ୭ ଦିନିଆ  ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦେବଗଡ଼ ସିଜେଏମ୍ କୋର୍ଟ । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।