ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ
ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ
ଭୁବନେଶ୍ୱର: ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି ଟିକେଟରୁ ୪ ଥର ବିଧାୟକ ତଥା ଥରେ ମନ୍ତ୍ରୀ ଥିବା ସଞ୍ଜୀବ ସାହୁ ଗତ ୩ ତାରିଖରେ ବିଜେଡି ଛାଡ଼ିଥିଲେ। ବିଜେଡି ଛାଡ଼ିବା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେବା ନେଇ ଆକଳନ ସୃଷ୍ଟି ହୋଇଥିଲା
ସଞ୍ଜୀବ ସାହୁ ପ୍ରଥମେ ବୀରମହାରାଜପୁର ଆସନରୁ ୨୦୦୩ ମସିହାରେ ନିର୍ବାଚିତ ହୋଇ ଆସିଥିଲେ। ଏହାପରେ ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ସେ ସମାନ ସିଟ୍ରୁ ଜୟଯୁକ୍ତ ହୋଇଥିଲେ। ଏହାପରେ ୨୦୦୫ ମସିହାରୁ ୨୦୦୮ ଫେବ୍ରୁଆରି ପର୍ୟ୍ୟନ୍ତ ସେ ପଞ୍ଚାୟତରାଜ ମନ୍ତ୍ରୀ ପରି ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ। ଏହାବାଦ ସ୍କୁଲ, ଗଣଶିକ୍ଷା ଓ ବାଣିଜ୍ୟ ଓ ପରିବହନ ବିଭାଗରେ ୨୦୦୮-୨୦୦୯ ଓ ୨୦୦୯ରୁ ୨୦୧୨ ପର୍ୟ୍ୟନ୍ତ ମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ ।
ଏହାପରେ ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ସଞ୍ଜୀବ ସାହୁ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ଦଳ ପକ୍ଷରୁ ତାଙ୍କ ବଦଳରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ରମେଶ ସାଇଙ୍କୁ ଦଳ ତରଫରୁ ମଇଦାନରେ ଛିଡ଼ା କରାଯାଇଥିଲା। ଏଥିଯୋଗୁ ଦଳରେ ନିଜ ଆସନ ସୁରକ୍ଷିତ ନ ଭାବି ଦଳ ଛାଡ଼ିଥିଲେ ବୋଲି କୁହାଯାଉଛି।




admin 