କନ୍ଧମାଳ ଲୋକସଭା କ୍ଷେତ୍ରରେ ଏଥର କଡା ଟକ୍କର
କନ୍ଧମାଳ ଲୋକସଭା କ୍ଷେତ୍ରରେ ଏଥର କଡା ଟକ୍କର
admin
Mar 24, 2019 - 05:06
Updated: Mar 24, 2019 - 05:06
କନ୍ଧମାଳ: କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ, ବିଜେପି ଏ ପର୍ଯ୍ୟନ୍ତ କେଉଁ ପ୍ରାର୍ଥୀଙ୍କୁ ଟିକଟ ଦେବ ତାହା ଘୋଷଣା କରିନାହିଁ । କଂଗ୍ରେସରୁ ବାଲିଗୁଡାର ଯୁବନେତା ମନୋଜ ଆଚାର୍ଯ୍ୟ ଲୋକସଭା ପ୍ରାର୍ଥୀ ଭାବେ ଟିକଟ ହାତେଇଛନ୍ତି । ବିଜେପି ଡା.ରବିନାରାୟଣ ନନ୍ଦଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଜେଡି ଜିଲ୍ଲା ବାହାର ପ୍ରାର୍ଥୀ ଦେଇଥିବାରୁ ସ୍ଥାନୀୟ ଆଶାୟୀ ହତାଶ ହୋଇପଡିଛନ୍ତି । କେତେକ ସ୍ଥାନରେ ଏହାକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଥିଲେ ମଧ୍ୟ ବିରୋଧିଙ୍କୁ ମନାଇବାରେ ବିଜେଡି ପ୍ରାର୍ଥୀ ଡା.ଅଚ୍ୟୁତ ସାମନ୍ତ ସକ୍ଷମ ହେବେ ବୋଲି କୁହାଯାଉଛି । କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ତଥା ବରୀଷ୍ଠ ସମାଜସେବୀ ଡା.ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରି ବିଜେଡି ଏହି ଲୋକସଭା ଆସନଟିକୁ ପକ୍କା କରିଦେଇଛି ଏବେଠାରୁ । ଡା.ଅଚ୍ୟୁତ ସାମନ୍ତ ଗତ ୬ ମାସ ହେଲା କନ୍ଧମାଳ ଲୋକସଭା ସାଂସଦ କ୍ଷେତ୍ରରେ ସମସ୍ତ ଅଂଚଳ ଗସ୍ତକରି ସଂଗଠନକୁ ମଜବୁତ୍ ମଧ୍ୟ କରିଦେଇଛନ୍ତି । ହଜାର ହଜାର ସମର୍ଥକ ପ୍ରଶଂସକ ସୃଷ୍ଟି କରିସାରିଛନ୍ତି ଜିଲ୍ଲାରେ । ଏହା ବ୍ୟତିତ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ସେତେଟା ଟାଣୁଆ କିମ୍ବା ପରିଚିତ ନଥିବାରୁ ଡା.ସାମନ୍ତଙ୍କ ପାଇଁ ବିଜୟ ଦ୍ୱାର ଉନ୍ମକ୍ତ ହୋଇଯାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ଏବେଠାରୁ ମତବ୍ୟକ୍ତ କଲେଣି । ତେବେ, କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଦାରିଙ୍ଗବାଡି ଅଂଚଳର ଅବସରପ୍ରାପ୍ତ ଅଫିସର ଅମିରଚାନ୍ଦ ନାଏକ, ବାରଖମାର ବରେନ୍ଦ୍ର କୁମାର ପ୍ରମୁଖ ଅନେକ ଆଶାୟୀ ଥିଲେ । ଅମିରଚାନ୍ଦ ଓ ବରେନ୍ଦ୍ରଙ୍କ ଜିଲ୍ଲାରେ କୋ÷ଣସି ପ୍ରଭାବ ନଥିବା ବେଳେ ସରୋଜ କର୍ଣ୍ଣ ଜିଲ୍ଲା ସଭାପତି ଅଛନ୍ତି । ସରୋଜଙ୍କ ଜିଲ୍ଲାରେ ଓ ଦଳରେ କିଛି ପ୍ରଭାବ ରହିଛି । ଏଣୁ, ସରୋଜଙ୍କୁ ମନାଇଲେ ସବୁ ଠିକ୍ ହୋଇଯିବ ବୋଲି ବିଜେଡି ନେତା ଓ କର୍ମୀ କହୁଛନ୍ତି । କଂଗ୍ରେସର ଜିଲ୍ଲାରେ ସଂଗଠନ ନଥିବା ବେଳେ ବିଜେପିର କିଛିଟା ସଂଗଠନ ରହିଛି । ହେଲେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ଡା.ସାମନ୍ତଙ୍କୁ କିଭଳି ଟକ୍କର ଦେବେ ତାହା ଆଗାମୀ ଦିନରେ ଜଣାପଡିବ ।
ଗତ ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରମାଧବ ରାଏ ୩ ଲକ୍ଷ ୧୫ ହଜାର ୩୧୪ ଭୋଟ୍ ପାଇଥିବା ବେଳେ କଂଗ୍ରେସର ସୁଜିତ ପାଢୀ ୧ ଲକ୍ଷ ୬୪ ହଜାର ୩୦୭ ଓ ବିଜେପିର ଅଶୋକ ସାହୁ ୧ ଲକ୍ଷ ୪୭ ହଜାର ୭ଟି ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ରୁଦ୍ରମାଧବ ରାଏ ୧ ଲକ୍ଷ ୫୧ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସୁଜିତ ପାଢୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୧୪ ରେ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ସିଂ ୪ ଲକ୍ଷ ୨୧ ହଜାର ୪୫୮ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହରିହର କରଣ ୨ ଲକ୍ଷ ୪୦ ହଜାର ୪୪୧ ଓ ବିଜେପିର ସୁକାନ୍ତ ପାଣିଗ୍ରାହୀ ୧ ଲକ୍ଷ ୮ ହଜାର ୭୪୪ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ସିଂ ପ୍ରାୟ ୨ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ । ସେହିପରି ହେମେନ୍ଦ୍ର ସିଂଙ୍କ ଅକାଳ ବିୟୋଗ ପରେ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଉପନିର୍ବାଚନରେ ପ୍ରତ୍ୟୁଷା ୪ ଲକ୍ଷ ୭୭ ହଜାର ୫୨୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାଏ ୧ ଲକ୍ଷ ୭୮ ହଜାର ୬୬୧ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ ବେହେରା ମାତ୍ର ୯୦ ହଜାର ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ୩ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।