ବଜେଟକୁ ନେଇ ସବୁ ରାଜ୍ୟ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ

ବଜେଟକୁ ନେଇ ସବୁ ରାଜ୍ୟ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ

ବଜେଟକୁ ନେଇ ସବୁ ରାଜ୍ୟ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ - ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍-ବଜେଟ୍ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୋଆ, ହରିୟାଣା ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିହାର, ଦିଲ୍ଲୀ, ତାମିଲନାଡ଼ୁ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ୧୭ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଧିକାରୀମାନେ ଯାଗ ଦେଇଥିଲେ । ଏହାଛଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ "ସହଯୋଗୀ ସଂଘବାଦ' ନୀତି ଏବଂ ଅର୍ଥବ୍ୟବସ୍ଥାର ସୁଧାର ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମତୀ ସୀତାରମଣ ଆଲୋକପାତ କରିଥିଲେ । ମତବ୍ୟକ୍ତ କରିବା ଲାଗି ମିଳିଥିବା ସୁଯୋଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ସ୍ୱାଗତ ଜଣାଇବା ସହିତ ଅଭିବୃଦ୍ଧି, ନିବେଶ, ସମ୍ବଳ ଆବଶ୍ୟକତା ଓ ଆର୍ଥିକ ନୀତି ସମ୍ପର୍କରେ ପରାମର୍ଶ ଦେଇଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଜରୁରି ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅର୍ଥମନ୍ତ୍ରୀ ସ୍ୱାଗତ କରିଥିଲେ । ଏଥିସହିତ ସେମାନେ ଦେଇଥିବା ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।