ଫାଷ୍ଟଫୁଡ ରାଖୀ ବେପାର ମାନ୍ଦା

ଫାଷ୍ଟଫୁଡ ରାଖୀ ବେପାର ମାନ୍ଦା

ଚନ୍ଦ୍ରଶେଖରପୁର: ମହାମାରୀ କରୋନା ପାଇଁ ଗତ ପ୍ରାୟ ୪ ମାସ ହେଲା ଫାଷ୍ଟଫୁଡ ଦେଖିବା ସ୍ୱପ୍ନ ହୋଇଯାଇଛି । କିନ୍ତୁ ରାଖୀ କାରିଗରମାନେ ପୁଣି ଏହି ସୁସ୍ୱାଦୁ ଖାଦ୍ୟର ରୂପ ରଙ୍ଗକୁ ଫେରାଇ ଆଣିଛନ୍ତି । ରାଖୀର ଫାଷ୍ଟଫୁଡ ଚିତ୍ରକୁ ସଜାଇ ଅଭିନବ ଚାତୁରୀ ପ୍ରଦର୍ଶନ କରିଛନ୍ତି ରାଖୀ କାରିଗରମାନେ । ଚାଉମିନ, ରୋଲ, ମୋମୋ, ବର୍ଗର, ପିଜା, ଦୋସା ଆଦିର ଚିତ୍ର ରାଖୀ ଉପରେ ଶୋଭା ପାଉଛି । ବଡ଼ ଚମକ୍ରାର ଦେଖାଯାଉଛି ଏହି ସବୁ ରାଖୀ । କିନ୍ତୁ କରୋନା ପାଇଁ ବେପାର ମାନ୍ଦା ଥିବାରୁ କାରବାର ନାହିଁ । ଫଳରେ କାରିଗରମାନଙ୍କ ମନ ମରି ଯାଉଛି ବୋଲି କୁହାଯାଇଛି । ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ବଜାର ବନ୍ଦ ଥିବାରୁ କାରବାର ନାହିଁ । ତେଣୁ ରାଖୀ ତିଆରି କରିଥିବା ବେପାରୀମାନେ ଚିନ୍ତାରେ ପଡ଼ିଛନ୍ତି । ଜଟଣୀ, କଟକ, ବାରଙ୍ଗ, ଅଡସପୁର ଓ ଆଠଗଡ଼ ଅଞ୍ଚଳକୁ ରାଖୀ କାମ କରିବା ପାଇଁ ଚନ୍ଦକା, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ବାରଙ୍ଗ ଅଞ୍ଚଳର ପ୍ରଶିକ୍ଷକମାନେ ଯାଆନ୍ତି । ସେମାନେ ଚଳିତ ବର୍ଷ ନୂଆ ଡିଜାଇନରେ ଫାଷ୍ଟଫୁଡ ରାଖୀ ତିଆରି କରିଛନ୍ତି । ପେଷ୍ଟିକ ଫାଇବର ଦେଇ ଚାଉମିନ, ରୋଲ, ଇଡଲି, ସମ୍ବର, ଦୋସା, ବଡ଼ା ପାଉଁ, ବର୍ଗର, ପିଜା ଓ ମୋମୋ ଆଦିର ଚିତ୍ରକୁ ରାଖୀରେ ସଜାଇଛନ୍ତି । ଏହି ରାଖୀ ତିଆରି ପାଇଁ କିଛି ଆର୍ଟ ଛାତ୍ରଛାତ୍ରୀମାନେ ଚିନ୍ତା କରିଥିଲେ ଓ ସେମାନଙ୍କ ଯୋଜନାକୁ ଗୋଦାମ ମାଲିକମାନେ ପସନ୍ଦ କରିଥିଲେ । ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ରାଖୀକୁ ରାଜ୍ୟର ବିଭିନ୍ନ ସିଜିନ ସେଣ୍ଟରକୁ ପଠାଯିବ ବୋଲି ବ୍ୟବସାୟୀ ସାରଦା ପ୍ରସନ୍ନ ମହାପାତ୍ର କହିଛନ୍ତି ।